କରୋନା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କରୋନା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି । ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଶ୍ରୀ ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶ୍ରୀ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ଶ୍ରୀ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସୁଶ୍ରୀ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.2.86 (ପିରୋଲା) ଏବଂ ଇଜି.5 (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.5 (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.2.86 (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି । ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି । ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି ।

Leave A Reply

Your email address will not be published.