ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମାତ୍ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବିରୋଧି ମେଳି । ଏହି ମେଳିରେ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କ ଦିଲ୍ଲୀଗସ୍ତକୁ ନେଇ ଆଲୋଚନା ଜୋର ଧରିଛି । ନୀତିଶ କୁମାର ଲଗାତର ଭାବେ ବିଜେପି ବିରୋଧରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କ ଝିଅ ମୀଶା ଭାରତୀଙ୍କ ବାସଭବନକୁ ଯାଇ ସେଠାରେ ଲାଲୁ ଯାଦବଙ୍କୁ ଭେଟିଥିଲେ । ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏହା ଲାଲୁ ଓ ନୀତିଶଙ୍କ ମଧ୍ୟରେ ପ୍ରଥମ ସାକ୍ଷାତକାର । ଏହି ଭେଟ ବେଳେ ସାମ୍ପ୍ରତିକ ରାଜନୀତି ଉପରେ ଆଲୋଚନା ହୋଇଥିବା କଥା କୁହାଯାଉଛି । କେବଳ ସେତିକି ନୁହେଁ ବୁଧବାର ଦିନ ନୀତିଶ କୁମାର ତେଜସ୍ୱୀ ଯାଦବଙ୍କ ଘରକୁ ମଧ୍ୟ ଯାଇଥିଲେ । ସେଠାରେ ସେ ତେଜସ୍ୱୀଙ୍କ ଝିଅକୁ ଆର୍ଶିବାଦ ମଧ୍ୟ କରିଛନ୍ତି। ଅନୁମାନ କରାଯାଉଛି କି ନୀତିଶ କୁମାର ତାଙ୍କର ଏହି ଦିଲ୍ଲୀ ଗସ୍ତ ସମୟରେ ଅନେକ ବିରୋଧୀଦଳର ନେତାମାନଙ୍କ ସହ ଭେଟ କରିବେ । ଫେବୃଆରୀ ମାସରେ ନୀତିଶ କୁମାର କହିଥିଲେ କି, ଯଦି ବିରୋଧୀଦଳମାନେ ଏକଜୁଟ ହୋଇ କଂଗ୍ରେସ ନେତୃତ୍ୱରେ ନିର୍ବାଚନ ଲଢିବେ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୦୦ ଆସନ ମଧ୍ୟରେ ସୀମିତ ରହିଯିବ ।
କିଛି ଦିନ ତଳେ ବିରୋଧୀଦଳଗୁଡିକୁ ନେଇ ସାମାଜିକ ନ୍ୟାୟ ବ୍ୟାନରରେ ଆୟୋଜିତ ହୋଇଥିଲା ବିରୋଧୀଙ୍କ ବୈଠକ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦେଶରେ ଏକତା, ଭାଇଚାରା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇନେବା ପାଇଁ ଏହା ଏକ ପ୍ରୟାସ ବୋଲି ଡିଏମକେ ପକ୍ଷରୁ କୁହାଯାଇଛି। ଏହାକୁ ଏକ ରାଜନୈତିକ ମଂଚ କହିଲେ କିଛି ଭୁଲ ହେବନି ବୋଲି ଟିଏମସି କହିଥିବା ଜଣାପଡିଛି। କିନ୍ତୁ ବିରୋଧୀଙ୍କ ସହ ବିଜେଡି ଓ ୱାଇଏସଆର କଂଗ୍ରେସ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଦେଶର ଅଳ୍ପ କିଛି ବିରୋଧୀ ମୋଦିଙ୍କ ବିରୋଧରେ ଲଢିବାକୁ ଚାହୁଁନାହାଁନ୍ତି କିନ୍ତୁ ଏବେ ଦୂରେଇ ରହିବା ସମୟ ନୁହେଁ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି। ବିଜେପି ବିରୋଧରେ ସମସ୍ତ ଦଳକୁ ଏକାଠି ହେବାକୁ ପଡିବ। ବୈଠକରେ କଂଗ୍ରେସ ସମେତ ସମାଜବାଦୀ ପାର୍ଟି, ଆରଜେଡି, ଟିଏମସି, ଆପ, ବିଆରଏସ, ଏନସିପି ଓ ବାମପନ୍ଥୀ ଦଳ ନେତାମାନେ ଭାଗ ନେଇଥିଲେ।
କିନ୍ତୁ ପୂର୍ବରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନେତା ଓ ବ୍ୟାନରରେ କିଛି ବିରୋଧୀ ଏକାଠି ହେବା ଦେଖିବାକୁ ମିଳିଛି। କେତେବେଳେ ବିଆରଏସ ନେତୃତ୍ୱରେ କିଛି ବିରୋଧୀ ଏକାଠି ହୋଇଥିବା ବେଳେ କେତେବେଳେ ଟିଏମସି ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ କରିଛି। ଏପରିକି ମୁଖ୍ୟ ବିରୋଧୀ କଂଗ୍ରେସକୁ ଅନ୍ୟ ବିରୋଧୀ ମାନେ ସମର୍ଥନ କରିବା ଦେଖାଯାଏନି। କିନ୍ତୁ ସାମାଜିକ ନ୍ୟାୟ ବ୍ୟାନର ତଳେ ସବୁ ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିଛି। କେବଳ ସମଦୁରତା କଥା କହୁଥିବା ବିଜେଡି ଓ ୱାଇଏସଆର କଂଗ୍ରେସକୁ ଛାଡିଲେ ପ୍ରାୟ ସବୁ ବିରୋଧୀ ଏଠି ଏକାଠି ହୋଇଥିଲେ ।