ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଜୁରାଟରେ ବିଜେପି ପୁଣି ବିପୁଳ ବିଜୟ ହାସଲ କରିଛି । ଏହାକୁ ନେଇ ସବୁଠି ଉତ୍ସବ ମନାଉଛି ବିଜେପି । ଗୁଜରାଟର ଲୋକମାନେ ବିଜେପି ଉପରେ ଭରସା କରିଛନ୍ତି, କାରଣ ବିଜେପି ଦେଶର ହିତ ପାଇଁ କଠୋର ନିଷ୍ପତ୍ତି ନେବାର ସାହସ ରଖେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ କହିଛନ୍ତି, ଦେଶରେ ପରିବାରବାଦ ବିରୋଧରେ ଜନ ଆକ୍ରୋଶ ବଢିଛି । ଏହା ଗଣତନ୍ତ୍ର ପାଇଁ ଏକ ଶୁଭ ସଂକେତ ।
ଗୁଜରାଟରେ ବିଜେପିର ବିପୁଳ ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ମୁଁ ଗୁଜରାଟର ଜନତାଙ୍କୁ କହିଥିଲି ଯେ ଏଥର ଭୂପେନ୍ଦ୍ରଙ୍କ ପାଇଁ ନରେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିବା ଜରୁରି । ଏହାର ଜବାବରେ ଗୁଜରାଟର ଜନତା ରେକର୍ଡ ଉପରେ ଆଉ ଏକ ରେକର୍ଡ ବନାଇଦେଇଛନ୍ତି । ଏଥିପାଇଁ ଗୁଜରାଟ ଜନତାଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ରାମପୁର ଭୋଟରମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ମଧ୍ୟ ନିରପେକ୍ଷ ନିର୍ବାଚନ କରିଥିବାରୁ ନିର୍ବାଚନ କମିସନଙ୍କୁ ଧନ୍ୟବାଦ ଦେଇଛନ୍ତି ।