ପୁଲୱାମା ଆକ୍ରମଣର ତୃତୀୟ ବର୍ଷ ପୂର୍ତ୍ତି ହୋଇଛି। ଆଜି ଦେଶ ୨୦୧୯ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା, ଜାମ୍ମୁ କାଶ୍ମୀର ଆକ୍ରମଣର ତୃତୀୟ ବାର୍ଷିକୀ ପାଳନ କରୁଛି। ଏହି ଭୟଙ୍କର ଆକ୍ରମଣରେ ସହିଦ ହୋଇଥିବା ୪୦ ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ସହିଦମାନଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି। ଏଥି ସହ କଂଗ୍ରେସ ନେତା ଶଶି ଥରୁର ସହିଦମାନଙ୍କୁ ଅଭିବାଦନ ଜଣାଇବା ସହିତ ଏହି ଅବସରରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି।
ସହିଦମାନଙ୍କୁ ସେନା ମୁଖ୍ୟ ଏମ.ଏମ ନାରାଭାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତିନି ବର୍ଷ ପୂର୍ବେ ଆଜି ଜୈଶ ଆତଙ୍କବାଦୀମାନେ ପୁଲୱାମାରେ ସିଆରପିଏଫ ଯବାନମାନଙ୍କ ଗାଡ଼ି ଉପରକୁ ବିସ୍ଫୋରକ ବୋମା ଫିଙ୍ଗି ଥିଲେ। ଏହି ବିସ୍ଫୋରଣରେ ୪୦ ରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି। ତେବେ ଏହି ଆକ୍ରମଣ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ହଟାଇବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି। ଏହା ପରେ ଭାରତ ପିଓକେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରି ପାକ୍ ଆତଙ୍କବାଦୀଙ୍କ ବେସକୁ ଧ୍ୱଂସ କରିଦେଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ୨୦୧୯ରେ ଏହି ଦିନ ପୁଲୱାମାରେ ଶହୀଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ରଖିଛି। ତାଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଦେଶ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଏ।
ଏନେଇ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବଳି ପଡ଼ିଥିବା ଅମର ସାହସୀ ପୁଅମାନଙ୍କୁ ନମସ୍କାର ଏବଂ ନମ୍ର ଶ୍ରଦ୍ଧାଞ୍ଜଳି! ତୁମର ବଳିଦାନ ସମାଜ ପାଇଁ ଏକ ଋଣ| ତୁମର ବଳିଦାନ ଆମ ସମସ୍ତଙ୍କୁ ଆତଙ୍କବାଦ ବିରୋଧରେ ଏକତ୍ର କରେ।