ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ ଦଣ୍ଡ। ଏନେଇ ସବୁ ଆର୍ଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର। ଜଣେ ସଚେତନ ନାଗରିକଙ୍କ ପିଟିସନ୍ ବା ଅଭିଯୋଗ ଆଜି ସମଗ୍ର ରାଜ୍ୟରେ ମହିଳା ଯାତ୍ରୀମାନଙ୍କ ସମ୍ମାନ କ୍ଷେତ୍ରରେ ଏକ ବଡ ସଂସ୍କାର ଆଣିଛି। ପିଟିସନକୁ ଆଧାର କରି ମହିଳା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଫଳରେ ପୂର୍ବରୁ ମହିଳାଯାତ୍ରୀଙ୍କୁ ପ୍ରଥମେ ବସ୍ ଭିତରକୁ ନ ଯିବା ପାଇଁ ଯେଉଁ ଅନ୍ଧ ବିଶ୍ବାସ ବା ଭ୍ରାନ୍ତଧାରଣା ଥିଲା ସେଥିରେ ସଂସ୍କାର ଆସିଛି। ଏଣିକି ରାଜ୍ୟରେ ପ୍ରତିଟି ଯାତ୍ରୀ ପରିବହନ ବସ୍ ବା ଗାଡି ମହିଳା ଯାତ୍ରୀଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିପାରିବେ ନାହିଁ। ଏହି ନିୟମର ଉଲ୍ଲଂଘନ କଲେ ସଂପୃକ୍ତ ବସ୍ କଣ୍ଡକ୍ଟର ବା ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡିଲେ ପରିମିଟ୍ ବି ବାତିଲ କରି ଦିଆଯିବ।
ଆଜି ଏ ସଂପର୍କରେ ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବା ଆରଟିଓମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏହାକୁ କିଭଳି କଡାକଡି ଭାବେ ପାଳନ କରାଯିବ ସେଥିପାଇଁ ସମସ୍ତ ଆରଟିଓମାନଙ୍କୁ ସୂଚନା ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ ୧୯୮୨ ମୋଟର ଯାନ ଆଇନର ଧାରା ୧୯୨ ଏ ରେ ଖିଲାପକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ସମସ୍ତ ଷ୍ଟେଜ୍ କ୍ୟାରେଜ୍ ବା ଯାତ୍ରୀବାହୀ ଗାଡିଗୁଡିକୁ ନିୟମିତ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ମାଲିକ କିମ୍ବା କଣ୍ଡକ୍ଟର ମହିଳାମାନଙ୍କୁ ପ୍ରଥମେ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିଥିବା ଅଭିଯୋଗ ଆସିଲେ ସଂପୃକ୍ତ ଗାଡି ମାଲିକଙ୍କ ପାଖରୁ ଇ ଚାଲାଣ କଟାଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି।