ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଅଭିଯୋଗ ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ୟୁଜିସି ନେଟ୍ ୨୦୨୪ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ଲିକକୁ ରୋକିବାରେ ବିଫଳ ହୋଇଛନ୍ତି। ସେ ଲିକ ରୋକିବାକୁ ମଧ୍ୟ ଚାହୁଁ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ-ରୁଷ ଯୁଦ୍ଧକୁ ରୋକି ଦେଇଥିଲେ।
କିନ୍ତୁ ପେପର ଲିକ୍କୁ ରୋକି ପାରୁ ନଥିବା ରାହୁଲ କଟାକ୍ଷ କରି କହିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବେ ଅକ୍ତିଆର କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ। ଏହାକୁ ବଦଳାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ନିଟ ପ୍ରସଙ୍ଗରେ ଆଜି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପି ନିୟନ୍ତ୍ରଣରେ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ଯାଏ ଦେଶରେ ପେପର ଲିକ ଜାରି ରହିବ। ପେପର ଲିକ ଗୋଟିଏ ଦେଶଦ୍ରୋହୀ କାମ। କାରଣ ଏହା ଦେଶର ଯୁଗଗୋଷ୍ଠୀଙ୍କୁ ଆଘାତ ଦେଉଛି। ଯୁବଗୋଷ୍ଠୀ ହେଉଛନ୍ତି, ଦେଶର ଭିବଷ୍ୟତ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏହାର କୁଳପତିମାନେ ବିଜେପି ନିୟନ୍ତ୍ରଣରେ ରହିଛନ୍ତି। ବିଜେପି ଓ ଏହାର ମୂଳ ସଂଗଠନ ଏଗୁଡ଼ିକୁ ପରିଚାଳନା କରୁଛନ୍ତି।
ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହା ଦେଶ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ। ସେ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏବେ ବିଶୃଙ୍ଖଳା ଖବର ଆସିବା ପରେ ୟୁଜିସି-ନେଟ୍ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ବିଜେପି ଶାସନରେ କାଗଜ ମାଫିଆମାନେ ପ୍ରାୟ ସବୁ ପରୀକ୍ଷାରେ ଜାଲିଆତି କରୁଛନ୍ତି। ଏହା ମଧ୍ୟ ଦେଶ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ।