ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ ମିଡିଆ ସହ ଜଡ଼ିତ ବ୍ୟକ୍ତିମାନେ ଏକାଠି ହୋଇ ମଙ୍ଗଳବାର ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ଏହି ଅବସରରେ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ପାଇଁ ଗୀତା ପାଠ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବରିଷ୍ଠ ପ୍ରଶାସନିକ ଅଧିକାରୀ କଲ୍ୟାଣୀ ସଂଘମିତ୍ରା, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଷୋୟୀ, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ବିଶିଷ୍ଟ ଲେଖକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଈଟିଭିର ପୂର୍ବତନ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ଦୟାନିଧି ଦାଶ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କେଦାର ମିଶ୍ର, ଶିଶିର ଭଟ୍ଟମିଶ୍ର, ଅର୍ଦ୍ଧେନ୍ଦୁ ଦାସ, ଭକ୍ତ ତ୍ରିପାଠୀ, ମାୟାଧର ପ୍ରଧାନ, ରାଧାମାଧବ ମିଶ୍ର, ଅପୂର୍ବ ମହାନ୍ତି, କପିଳାସ ଭୂୟାଁ, ଲିଙ୍ଗରାଜ ମିଶ୍ର, ଶରତ ପାଇକରାୟ, ଦୁର୍ଗାଶିଷ, ଅଶୋକ ସାହୁ, ପ୍ରଣତି ପରିଡ଼ା, ସୌମ୍ୟା ପରିଡ଼ା, ମୌସୁମୀ ମହାନ୍ତି, ମୃଣାଳକାନ୍ତି ନନ୍ଦ ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାମୋଜୀ ରାଓଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିବାରୁ, ଈଟିଭି ପରିବାରର ପୂର୍ବତନ ସଦସ୍ୟ ଏବଂ ଓଡ଼ିଶା ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି କାର୍ଯ୍ୟକ୍ରମର ଆବାହକ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ।