ଓଡ଼ିଆ ନ୍ୟୁଜ(ବ୍ୟୁରୋ): କୁଲି ଅବତାରରେ ନଜର ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବୁଧବାର ଦିନ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ପହଂଚି ସେଠାରେ କାମ କରୁଥିବା କୁଲିଙ୍କୁ ଭେଟିଥିଲେ । ସେଠାରେ ସେ କୁଲିଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏହି କ୍ରମରେ ରାହୁଲ ଗାନ୍ଧୀ କୁଲିଙ୍କ ନାଲି ଡ୍ରେସ ପିନ୍ଧି କୁଲିଙ୍କ ଭଳି ମୁଣ୍ଡରେ ଲଗେଜ ଉଠାଉଥିବା ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କୁଲିଙ୍କ ସହ ଆଲୋଚନା କରୁଥିବାର ଭିଡିଓ ମଧ୍ୟ ସେୟାର କରିଛି । ଏଥିରେ ଲେଖାଯାଇଛି କି ଜନନାୟକ ରାହୁଲ ଗାନ୍ଧୀଜୀ ରେଳ ଷ୍ଟେସନରେ ନିଜର କୁଲି ବନ୍ଧୁଙ୍କୁ ଭେଟିଛନ୍ତି । ଏହାସହ ଦଳ ତରଫରୁ ଲେଖାଯାଇଛି କି, କିଛିଦିନ ତଳେ ରେଳ ଷ୍ଟେସନରେ କାମ କରୁଥିବା କୁଲିମାନେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛାବ୍ୟକ୍ତ କରିଥିଲେ ।
ଏହାକୁ ସମ୍ମାନ ଦେଇ ରାହୁଲ ଗାନ୍ଧୀ କୁଲିମାନଙ୍କ ନିକଟରେ ପହଂଚିଛନ୍ତି । ଏବେ ସୁଦ୍ଧା ଭାରତ ଯୋଡ ଯାତ୍ରା ଜାରି ରହିଛି ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେପଟେ ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ଆଜି ଦିଲ୍ଲୀର ଅ।।ନନ୍ଦ ବିହାର ଟର୍ମିନାଲରେ କାମ କରୁଥିବା କୁଲି ଭାଇଙ୍କ ସହ ଭେଟ ହୋଇଛି । ବହୁତ ଦିନ ଧରି ମନରେ ଇଚ୍ଛାଥିଲା ସେମାନଙ୍କୁ ଭେଟିବାକୁ ଓ ସେମାନେ ସମ୍ମାନର ସହ ମୋତେ ନିମନ୍ତ୍ରଣ କରିଥିଲେ । ତେଣୁ ଦେଶର ଶ୍ରମଜୀବି ଭାଇ ଭଉଣୀଙ୍କ ଇଚ୍ଛା ପୂରଣ କରିବା ମୋର କାମ ବୋଲି ସେ କହିଛନ୍ତି ।