ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିସ୍କାର କରାଯିବାରେ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ ଓ ପ୍ରତିରୋଧ କରାଯିବା ପାଇଁ ନିଷ୍ପତି ହୋଇଛି । ବିଜେପି- ଆରଏସ୍ଏସର ଏହି ରାଜନୈତିକ ଷଡ଼ଯନ୍ତ୍ର, ବିରୋଧିଙ୍କୁ ମୂଳୋତ୍ପାଟନ କରିବାର କୁତ୍ସିତ ପ୍ରୟାସ କଲେ ସମସ୍ତ ବିରୋଧି ଦଳ ରାସ୍ତାକୁ ଓହ୍ଲାଇବେ ଓ ପ୍ରତିରୋଧ ଆନ୍ଦୋଳନକୁ ତୀବ୍ର କରିବାର ନିଷ୍ପତି ହୋଇଛି । ସାଂପ୍ରଦାୟୀକତା ବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଐକତାବଦ୍ଧ ସଂଗ୍ରାମ ଗଢ଼ିତୋଳିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି । ସୋମବାର ଦିନ ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି ।
ଉକ୍ତ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାଡ ବ୍ଲକ, ଏନସିପି, ଆମଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରଭୃତି ଦଳର ନେତୃବୃନ୍ଦ ମାନେ ଯୋଗଦେଇଥିଲେ । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଜନାର୍ଦ୍ଦନ ପତି, ନାରାୟଣ ରେଡି, ଯୁଧିଷ୍ଠୀର ମହାପାତ୍ର, ରବି ବେହେରା, ରଙ୍ଗାଚରଣ ପ୍ରଧାନ, ଜତିଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦମାନେ ଯୋଗଦେଇ ଘୋର ନିନ୍ଦା କରିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ ।
ସୂଚନାଯୋଗ୍ୟ ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ କେସ୍ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ। ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। କଂଗ୍ରେସ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଳୟ ଆଜି ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିଦେଇଛି।