ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏନ୍କାଉଣ୍ଟର। ବେଶ କିଛିିଦିନ ହେଲା ପୋଲିସକୁ ଚକମା ଦେଇ ଖସି ଯାଉଥିବା ଜିତୁ ପଲେଇ ଓରଫ ଜିତେନ୍ଦ୍ର ପଲେଇକୁ କମିଶନରେଟ ପୋଲିସ କାବୁ କରିଛି । ଏହି ସମୟରେ ପୋଲିସ ଓ ଜିତୁ ଗ୍ୟାଙ୍ଗ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ଆହତ ହୋଇଛି କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ। ତା ବାମ ଗୋଡ଼ରେ ଗୁଳି ବାଜିଛି। ଜିତେନ୍ଦ୍ରକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୧ଟା ୩୦ ବେଳକୁ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍ ଟିମ୍। ଏହି ରାସ୍ତା ଦେଇ ଜିତେନ୍ଦ୍ର ଯାଉଥିବା ଖବର ପାଇ ତା ପିଛା କରିଥିଲା ପୋଲିସ। ପୋଲିସ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲା ଜିତେନ୍ଦ୍ର। ପ୍ରତିଆକ୍ରମଣରେ ପୋଲିସ ଗୁଳି ଚାଳନା କରିଥିଲା। ଏଥିରେ ତା ଗଡ଼ରେ ଗୁଳି ବାଜିଛି। ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି। ଗତ ୧୭ ତାରିଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ। ଜିତୁ ନାଁରେ ଭୁବନେଶ୍ୱର, ପୁରୀ ଓ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।
ପୋଲିସ ସୂଚନା ଅନୁସାରେ, ଦୀର୍ଘ ୫ବର୍ଷରୁ ଅଧିକ ଧରି ଜିତୁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଲୁଟ, ଡକାୟତି, ବୋମା ମାଡ ଆଦି କରି ପୋଲିସର ନିଦ ହଜାଇ ଦେଇଥିଲା । ତାକୁ ଧରିବା ଲାଗି ପୋଲିସ ଏକାଧିକ ଥର ଚେଷ୍ଠା କରି ବିଫଳ ହୋଇଥିଲା । ଏମିତି କି ଥରେ ପୋଲିସ ଆଖି ଆଗରୁ ଖସି ଯିବାରେ ସକ୍ଷମ ହୋଇଥିଲା । ସେ ଏକ ହୋଟେଲରେ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ପୋଲିସ ଚଢାଉ କରିଥିଲା । ପୋଲିସ ଚଢାଉ କରିବା ପୂର୍ବରୁ ଖବରପାଇ ସେ ଖସି ପଳାଇଥିଲା । ଯଦିଓ ପୋଲିସ ଓ ଜିତୁ ମଧ୍ୟରେ ବେଶି ଦୂରତା ନଥିଲା, ହେଲେ ଜନଗହଳୀ ଥିବାରୁ ପୋଲିସ ଏନକାଉଣ୍ଟର କରିବାକୁ ସାହାସ ଜୁଟାଇ ପାରିନଥିଲା । ଏହା ପରଠାରୁ ଜିତୁ ପଲେଇ ଭୁବନେଶ୍ୱର ଆସିବା ବନ୍ଦ କରିଦେଇଥିଲା ।
ତେବେ ଗତ ୧୭ ତାରିଖ ଦିନ ଖାରବେଳନଗର ଥାନା ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ କରି ଲୁଟ କରିବାକୁ ଉଦ୍ୟମ କରିଥିଲା । ଏହି ଘଟଣାରେ ଜିତୁ ପଲେଇ ସଂପୃକ୍ତ ଥିବା ପୋଲିସ ଜାଣିବା ପରେ ତାକୁ ଧରିବାକୁ ଉଦ୍ୟମ ଚଳାଇଥିଲା । ଗତକାଲି ରାତିରେ ଜିତୁ ପଲେଇ ନିଆଳିରୁ ଭୁବନେଶ୍ୱର ଆସୁଥିବା ପୋଲିସକୁ ଖବର ମିଳିଥିଲା । ପୋଲିସ ତାକୁ ଧରିବା ଲାଗି ଜାଲ ବିଛାଇଥିଲା । ଟଙ୍କପାଣି ରୋଡ ନିକଟରେ ପୋଲିସକୁ ଦେଖି ଜିତୁ ବାଙ୍କୁଆଳ ନଈ ବନ୍ଧ ଆଡକୁ ପଳାଇଯାଇଥିଲା । ପୋଲିସ ତାକୁ ପିଛା କରିଥିଲା । ଏପରିକି ପୋଲିସ ତାକୁ ଚାରିପଟୁ ଘେରି ଯାଇଥିଲା । ଧରାପଡିବା ଭୟରେ ସେ ପୋଲିସ ଉପରକୁ ଗୁଳି ମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲା ।
ପୋଲିସ ଓ ଜିତୁ ପଲେଇ ମଧ୍ୟରେ ପ୍ରାୟ ୫ ରାଣ୍ଡ ଗୁଳି ମାଡ ହୋଇଥିଲା । ତେବେ ପୋଲିସ ଗୁଳିରେ ଜିତୁ ପଲେଇ ଘାଇଲା ହୋଇଥିଲା । ଜିତୁ ପଲେଇର ବାମ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଛି । ତାକୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ଜିତୁ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ରହିଛି । ଜିତୁ ପାଖରୁ ଗୋଟିଏ ବନ୍ଧୁକ, ଗୁଳି, ଗାଡି ଆଦି ଜବତ ହୋଇଛି ।