କର୍ଣ୍ଣାଟକବାସୀଙ୍କ ମନ ଜିଣିବାରେ ସହାୟକ ହୋଇଛି ରାହୁଲଙ୍କ ‘ଭାରତ ଯୋଡ଼ ଯାତ୍ରା’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କର ବଢିଛି କ୍ରେଜ୍ । କର୍ଣ୍ଣାଟକରେ ୨୧ ଦିନ ଧରି ଭାରତ ଯୋଡ଼ ଯାତ୍ରା ବେଳେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ରାହୁଲ । ଆଉ ଏହି ଯାତ୍ରା ରାହୁଲଙ୍କ ଭିତରେ ବଡ଼ ପରିବର୍ତନ ଆଣିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ରାଲିରେ ବାରମ୍ବାର ଗରିବକୁ ପ୍ରସଙ୍ଗ କରିଥିଲେ ରାହୁଲ ଗାନ୍ଧୀ । ନିର୍ବାଚନ ଜିତିବା ମାତ୍ରକେ ରାହୁଲ ଗାନ୍ଧୀ ବଡ଼ ଘୋଷଣା କରି କହିଥିଲେ ଯେ, ପ୍ରଥମ କ୍ୟାବିନେଟରେ ୫ଟି ପ୍ରତିଶ୍ରୁତି ପୂରଣ କରିବେ । ଆସନ୍ତାବର୍ଷ ସାଧାରଣ ନିର୍ବାଚନରେ ମଧ୍ୟ ବିରୋଧୀ ଚେହେରା ଭାବେ ରାହୁଲ ନିର୍ଣ୍ଣାୟକ ଭୂମିକା ବହନ କରିବେ ବୋଲି ଚର୍ଚ୍ଚା ହେଉଛି । ବିଗତ ଦିନଗୁଡ଼ିକରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ ଦକ୍ଷତାକୁ ସମାଲୋଚନା କରାଯାଉଥିଲା । କିନ୍ତୁ ଆଜି ସେହି ରାହୁଲ ଗାନ୍ଧୀଙ୍କ ଭିତରେ ବହୁତ ବଡ଼ ପରିବର୍ତନ ଆସିଛି । ଗତବର୍ଷ ‘ଭାରତ ଯୋଡ଼ ଯାତ୍ରା’ରୁ ରାହୁଲଙ୍କ ଭିତରେ ଏହି ପରିବର୍ତନ ଦେଖିବାକୁ ମିଳିଥିଲା । ଏହି ଯାତ୍ରାର ପ୍ରକୃତ ଲକ୍ଷ୍ୟ କ’ଣ, ଆଉ କେତେ ସଫଳତା ଆଣିଦେବ, ଆଉ ଭୋଟରଙ୍କୁ କେତେ ଯୋଡ଼ିପାରିବ, ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଥିଲା । କିନ୍ତୁ ୧୫୦ ଦିନର ଏହି ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀଙ୍କର ଲୋକସମ୍ପର୍କ ବହୁମାତ୍ରାରେ ବୃଦ୍ଧି ପାଇଛି, ତାକୁ ଅଣଦେଖା କରିହେବନାହିଁ ।

କର୍ଣ୍ଣାଟକରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପାଖରେ ହରାଇବାକୁ କିଛି ନଥିଲା । ଏହା ପୂର୍ବରୁ ତାଙ୍କର ଲୋକସଭା ସଦସ୍ୟତା ଚାଲିଯାଇଥିଲା ବେଳେ ଭିନ୍ନ ଷ୍ଟ୍ରାଟେଜୀ ନେଇ ମଇଦାନକୁ ଓହ୍ଲାଇଥିଲେ । କର୍ଣ୍ଣାଟକରେ ପ୍ରତିଟି ରାଲିରେ ରାହୁଲ ଗରିବଙ୍କ କଥା ଉଠାଇଥିଲେ । ଆଉ ନିର୍ବାଚନୀ ଇସ୍ତାହାରରେ ଲୋଭନୀୟ ପ୍ରସ୍ତାବ ଜନତାଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା । ନିର୍ବାଚନ ଜିତିବା ମାତ୍ରକେ ରାହୁଲ ଗାନ୍ଧୀ ବଡ଼ ଘୋଷଣା କରି କହିଥିଲେ ଯେ ପ୍ରଥମ କ୍ୟାବିନେଟରେ ୫ଟି ପ୍ରତିଶ୍ରୁତି ପୂରଣ କରିବେ । କର୍ଣ୍ଣାଟକରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହ ଘନଘନ ପ୍ରଚାର କରିଛନ୍ତି । ମୋଦୀ ଏକାକୀ ୪୨ଟି ରାଲି କରିଥିବା ବେଳେ ସେଥିରୁ ୨୧ଟି ଆସନରେ ବିଜେପିକୁ ବିଜୟ ମିଳିଛି । ସେହିପରି ଅମିତ୍ ଶାହ ୩୦ଟି ରାଲି କରିଥିବା ବେଳେ ୧୧ଟିରେ ବିଜୟୀ ହୋଇଛି ବିଜେପି । ଏହା ତୁଳନାରେ ରାହୁଲ ଗାନ୍ଧୀ ମୋଟ ୨୨ଟି ରାଲି କରିଥିବା ବେଳେ ୧୬ଟି ଆସନରେ କଂଗ୍ରେସ ବିଜୟ ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ମୋଦୀଙ୍କ ବିଜୟ ଷ୍ଟ୍ରାଇକରେଟ୍ ୫୦ ପ୍ରତିଶତ ରହିଥିବା ବେଳେ ଅମିତ୍ ଶାହଙ୍କର ମାତ୍ର ୩୭ ପ୍ରତିଶତ ଏବଂ ରାହୁଲଙ୍କର ୭୩ ପ୍ରତିଶତ ଷ୍ଟ୍ରାଇକରେଟ ରହିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କର୍ଣ୍ଣାକଟରେ କଂଗ୍ରେସର ବମ୍ପର ବିଜୟ ବଡ଼ ବାର୍ତ୍ତା ଦେଉଛି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ରାହୁଲ ବିରୋଧୀଙ୍କ ପାଇଁ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.