ଆହୁରି ଘନୀଭୂତ ହେଲା ଲଘୁଚାପ , ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

0
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କୋରାପୁଟ, ବୌଦ୍ଧ ଓ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ମଧ୍ୟ ଅଧିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ସୋନପୁର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୧୨ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୪୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳ ୪୪, ଛତ୍ରପୁର ୩୨, ପାରଳାଖେମୁଣ୍ଡି ୨୨.୬, ଭଦ୍ରକ ୨୨.୮, ଯାଜପୁର ୨୮, ଖୋର୍ଦ୍ଧା ୧୦, ଗୋପାଳପୁର ୨୬.୪, ଭୁବନେଶ୍ୱର ୧୭.୬, ତାଳଚେରରେ ୧୨, ବରଗଡ଼ ୧୧.୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୧୨ରୁ ୧୬ ତାରିଖ ଯାଏ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ୧୭ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡି.ଜି. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.