ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ରୂପ ନେବା ସମ୍ଭାବନା ରହିଛି । ପାଣିପାଗର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଜଗତସିଂହପୁର, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାଛଡ଼ା କେତେ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୧୨ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

Comments are closed.