ଧାମନଗର ବିଗୁଲ: ଦଳୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ରାଜେନ୍ଦ୍ର ଦାସ, ଭରିଲେ ନାମାଙ୍କନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ବିଜେଡିରେ ବିଦ୍ରୋହ । ଦଳୀୟ ନିଷ୍ପତ୍ତିକୁ ଚାଲେଂଜ କଲେ ରାଜେନ୍ଦ୍ର ଦାସ । ଉପନିର୍ବାଚନ ପାଇଁ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ରାଜେନ୍ଦ୍ର ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୧୦ଟାରେ ଭଦ୍ରକସ୍ଥିତ ବାସଭବନରୁ ଶହ ଶହ ସମର୍ଥକଙ୍କ ସହ ଚାଲି ଚାଲି ଯାଇ ସେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ଧାମନଗର ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି ।
ଧାମନଗର ଉପନିର୍ବାଚନ ପାଇଁ ପ୍ରମୁଖ ଆଶାୟୀ ଥିଲେ ରାଜେନ୍ଦ୍ର ଦାସ । ମାତ୍ର ଦଳର ଅନ୍ୟ ଦୁଇ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଆପୋଷ ବୁଝାମଣା ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯଥାସାଧ୍ୟ ଉଦ୍ୟମ କରିଥିଲେ । ବୁଧବାର ଦିନ ତାଙ୍କର ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ସମସ୍ତଙ୍କୁ ଡକାଇ ଆଲୋଚନା କରିଥିଲେ । ସେହି ବୈଠକରେ ଭଦ୍ରକ ଜିଲ୍ଲାର ସବୁ ବିଧାୟକଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ ବିବାଦ ତୁଟି ନ ଥିଲା । ଶେଷରେ ତୃତୀୟ ପକ୍ଷ ଭାବେ ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ନାଁ ଆସିଥିଲା ଏବଂ ବୈଠକରେ ସମସ୍ତଙ୍କ ସମର୍ଥନ ପରେ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ସଂଧ୍ୟାରେ ପ୍ରାର୍ଥୀ ଘୋଷଣା ପରେ ବାହାରକୁ ଆସି ଗଣମାଧ୍ୟମ ଆଗରେ ପ୍ରଥମେ ପ୍ରତିକ୍ରିୟା ରଖିଥିଲେ ରାଜେନ୍ଦ୍ର । ମନରେ କ୍ଷୋଭ ବାରି ହେଉଥିଲେ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସେ ସ୍ୱାଗତ କରିବା ସହ ଅବନ୍ତୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରିଥିଲେ । ଏହାପରେ ଭଦ୍ରକ ଫେରିଥିଲେ ।

ତେବେ ବିଜେଡିର ଏହି ନିଷ୍ପତ୍ତିକୁ ଧାମନଗରରେ ରାଜେନ୍ଦ୍ରଙ୍କ ସମର୍ଥକମାନେ ଗ୍ରହଣ କରି ନ ଥିଲେ । ରାତି ତମାମ ତାଙ୍କର ଭଦ୍ରକ ବାସଭବନରେ ସମର୍ଥକମାନେ ଭିଡ଼ ଜମାଇଥିଲେ । ରାଜେନ୍ଦ୍ର ସେମାନଙ୍କ ସହ ଘନ ଘନ ବୈଠକ କରିଥିଲେ । ସେପଟେ ସମର୍ଥକମାନଙ୍କ ଦ୍ୱାରା ସୋସିଆଲ୍ ମିଡ଼ିଆରେ ଏକାଧିକ ପୋଷ୍ଟ ଓ ଭିଡିଓ ଭାଇରାଲ୍ ହୋଇଥିଲା । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଏଥିରେ ଜଣାଇ ଦିଆଯାଇଥିଲା । ରାଜେନ୍ଦ୍ରଙ୍କ ନାଁରେ ଏକ ଲାଲ୍ ଲୁହଭିଜା ଚିଠି ମଧ୍ୟ ଭାଇରାଲ୍ ହୋଇଥିଲା । ଏହି ଆବେଗଭରା ଚିଠିରେ ରାଜେନ୍ଦ୍ର ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଦର୍ଶାଇ ତାଙ୍କ ସମର୍ଥକମାନଙ୍କ ମତାମତ ଲୋଡିଥିଲେ ।

ଗୁରୁବାର ଦିନ ତମାମ ରାଜେନ୍ଦ୍ର କିନ୍ତୁ ଗାଏବ ହୋଇଥିଲେ । ତାଙ୍କର ମୋବାଇଲ୍ ସୁଇଚ୍ ଅଫ ରହିଥିଲା । ବିଜେଡି ପକ୍ଷରୁ ତାଙ୍କୁ ମନାଇବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିବା କୁହାଯାଉଛି । ତେବେ ବିଳମ୍ବିତ ସଂଧ୍ୟାରେ ରାଜେନ୍ଦ୍ର ଗଣମାଧ୍ୟମ ସାମନାକୁ ଆସିଥିଲେ ଏବଂ ସମର୍ଥକମାନଙ୍କ ନିଷ୍ପତ୍ତିରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ରାଜେନ୍ଦ୍ର କହିଛନ୍ତି, ୨୦୧୯ ରେ କୁଚକ୍ରୀ ଗୋଷ୍ଠୀ ପାଇଁ ହାରିଥିଲି । ଏବେ ବି ସେହି ଚକୁଚକ୍ରୀ ଗୋଷ୍ଠୀ ଅଛନ୍ତି । ମାତ୍ର ଧାମନଗର ଲୋକଙ୍କ ସମର୍ଥନ ମୋ ଉପରେ ଅଛି । ମୁଁ ନିଶ୍ଚୟ ଜିତିବି । ଧାମନଗରବାସୀଙ୍କ ସ୍ୱାଭିମାନ ଓ ଅଞ୍ଚଳର ବିକାଶ ପାଇଁ ଲଢ଼େଇ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.