ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡ଼ାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆଙ୍କୁ ସ୍ବର୍ଣ୍ଣ । ଭାରୋତ୍ତୋଳନ ଏଚ୍ପିସି ଢ଼େଙ୍କାନାଳ କେନ୍ଦ୍ରର ଅନ୍ତେବାସୀ ହୃଦାନନ୍ଦ ଦାସ ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ମୋଟ ୨୫୦ କିଲୋଗ୍ରାମ ଭାରୋତ୍ତୋଳନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
୧୬ ବର୍ଷୀୟ ହୃଦାନନ୍ଦ ସ୍ନାଚରେ ୧୧୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୪୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଫିଜିର ନେହେମିୟା କିଡ଼ା ୱିଲିୟମ୍ ଏଲ୍ଡର ୨୪୨ କିଲୋଗ୍ରାମ (୧୧୦ ଓ ୧୩୨) ଏବଂ ଅଷ୍ଟ୍ରେଲିଆର ଆୟର୍ଟନ ରିସ୍ବି ମୋଟ ୨୧୭ କିଲୋଗ୍ରାମ (୯୨ ଓ ୧୨୫) ଉତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ହୃଦାନନ୍ଦ ଉଭୟ ସ୍ନାଚ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ନିଜ ତୃ୍ତୀୟ ପ୍ରୟାସରେ ଶ୍ରେଷ୍ଠ ପ୍ରଦର୍ଶନ ସହିତ ମୋଟ ଉତ୍ତୋଳନ କରିଥିଲେ ୨୫୦ କିଲୋଗ୍ରାମ ।