ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ ପାଇଁ ହ୍ବିପ୍ ଜାରି କଲା ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କଲେ ହ୍ବିପ୍ । ମାର୍ଚ୍ଚ ୧୩ରୁ ୧୬ ଯାଏ ଭୁବନେଶ୍ବର ନ ଛାଡ଼ିବା ପାଇଁ ହ୍ବିପ୍ ଜାରି । ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳକ ଲଢେଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡିକୁ କ୍ରସ ଭୋଟିଂର ଭୟ ମଧ୍ୟ ଘାରିଛି। ଏମିତି ସ୍ଥିତିରେ ନିଜ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛି ବିଜେଡି। ଭୁବନେଶ୍ଵର ନ ଛାଡ଼ିବାକୁ ଦଳ ସୁପ୍ରିମ ନିଜ ବିଧାୟକଙ୍କୁ ସଫା ସଫା ଜଣାଇ ଦେଇଛନ୍ତି।
ସଂସଦର ଉଚ୍ଚସଦନର ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ଆସନ କରାୟତ କରିବା ପାଇଁ ରାଜନୈତିକ ଗୋଟି ଚାଳନା କରି ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜେପି। ବିଜେପି ପାର୍ଟିର ହୋଇ ଦିଲୀପ ରାୟ ନିଜକୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି। କାରଣ ଚତୁର୍ଥ ଆସନ ପାଇଁ ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଆଗରେ ଅଛନ୍ତି। ତେଣୁ ଦିଲୀପ ରାୟ କ୍ରସ ଭୋଟିଂ ଜରିଆରେ ଭୋଟ୍ ହାତେଇବାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।ସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ହୁଇପ୍ ଜାରି କରିଛି।