ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଷୋୟୀ ସେବକମାନେ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ କରି ରଖିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ସହ ଆଜି ମଧ୍ୟ ଗହ୍ମା ପୂର୍ଣ୍ଣିମା। ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।

ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ଭାଇ- ଭଉଣୀ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୂପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସେବକମାନେ ଲାଗି କରାଇବେ। ସେହିପରି ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ହେବ। ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ । ଦ୍ୱିପ୍ରହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ଚଉଦଳରେ ଚକ୍ରରାଜ ସୁଦର୍ଶନ ମାର୍କଣ୍ଡ ପୁଷ୍କରିଣୀ ଯାତ୍ରା କରି ବଳଭଦ୍ରଙ୍କ ଜନ୍ମନୀତି କରିବେ । ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରି ଜୀବନ୍ୟାସ ଦେବା ପରେ ଜାତକର୍ମ ଅନୁଷ୍ଠିତ ହେବ । ପଞ୍ଚୋପଚାର, ଶୀତଳ ମଣୋହୀ, ବନ୍ଦାପନା କରାଯାଇ ବଳଭଦ୍ରଙ୍କ ପ୍ରତିମାକୁ ମାର୍କଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯିବ ।

ପରିଶେଷରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

 

Leave A Reply

Your email address will not be published.