ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ଉଦଘାଟିତ, ରାଜ୍ୟର ଏହା ପ୍ରଥମ
ଓଡିଆ ନ୍ୟୁଜ୍(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ମଙ୍ଗଳବାର ଉଦ୍ଘାଟିତ ହୋଇଛି । ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରିଡିଂ ରୁମ୍ର ଉଦ୍ଘାଟନ କରିଛନ୍ତି । ଏହି ରୁମ୍ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ଅଛି । ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ ବାହାର କରି ଶୁଣିପାରିବେ ଆଉ ପାଠ ମନେରଖିପାରିବେ । ଯାହାଦ୍ୱାରା ସେମାନେ ଶିକ୍ଷାଗ୍ରହଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି ।
ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ରୀମତି ଶ୍ୟାମଳି ମହାପାତ୍ର ନିଜ ମା’ ଶ୍ରୀମତି ବିନୋଦିନୀ ମହାପାତ୍ରଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ସେ ଦେଇଥିବା ଅର୍ଥର ଦୁଇଗୁଣା ଅର୍ଥ ଅର୍ଥାତ୍୨ ଲକ୍ଷ ଟଙ୍କା ‘ମୋ କଲେଜ’ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଅନୁଦାନ ଦିଆଯାଇଥିଲା । ଉଭୟ ଅର୍ଥକୁ ମିଶାଇ ସମୁଦାୟ ୩ ଲକ୍ଷ ଟଙ୍କାରେ ଏହି ରିଡିଂ ରୁମ୍ କର୍ଣ୍ଣର ତିଆରି କରାଯାଇଛି ।
କାର୍ଯ୍ୟକ୍ରମରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସନାୟକ ଏହି ରୁମ୍କୁ ଉଦ୍ଘାଟନ କରି କହିଲେ, ଏହି ଇ-ରିଡିଂ ରୁମ୍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଠପଢ଼ାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ରୀମତି ଶ୍ୟାମଳି ମହାପାତ୍ର ନିଜ ମା’ଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ଅର୍ଥ ଦାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶ୍ରୀ ଦାସନାୟକ କହିଲେ, ରାଜ୍ୟରେ ଥିବା ପ୍ରତ୍ୟେକ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସର୍ବଙ୍ଗୀନ ବିକାଶ କରିବାକୁ ‘ମୋ କଲେଜ ଅଭିଯାନ’ ପ୍ରୟାସ କରିଆସୁଛି । ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀଙ୍କ ଜୀବନରେ ଏହି ଅଭିଯାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ଏହା ସହ ସେ କହିଲେ, ଯଦି ଜଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି ଏବଂ ଲକ୍ଷ୍ୟ ସ୍ଥିର ରହିଛି, ତେବେ ନିଶ୍ଚିତ ଭାବେ ଲକ୍ଷ୍ୟ ହାସଲ ହୋଇପାରିବ ।