ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ମିଳିଲା ୨୮୩.୭୮ କୋଟି ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ତରଫରୁ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହି ପତ୍ର ପାଇବା ପରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଧ୍ୟାନ କରିବା ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୩.୭୮ କୋଟି ଟଙ୍କା ଏହି ଅର୍ଥ ପ୍ରଦାନ କରାଯାଇସାରିଛି ।

ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଟଙ୍କା ବ୍ୟବସ୍ଥା କରି ସମୁଦାୟ ୯୦୬.୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ରାଜ୍ୟ ପାଖରେ ଥିବା ୮ କୋଟି ଟଙ୍କା ବଳକା ରହିଥିଲା । ଭାରତ ସରକାର ଅକ୍ଟୋବର ୦୧, ୨୦୨୨ରେ ସାମଗ୍ରିକ ଖର୍ଚ୍ଚକୁ ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା । ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଓ ପରେ ନିଜର ଅତିରିକ୍ତ ବଜେଟରେ ବର୍ଦ୍ଧିତ ଆବଣ୍ଟନ ନଥିବା କାରଣରୁ କେନ୍ଦ୍ରୀୟ ଅଂଶ ଭାବରେ ୩୩.୩୧ କୋଟି ଏବଂ ରାଜ୍ୟ ଅଂଶ ଭାବରେ ୧୭. ୬୮ କୋଟି ନିଅଣ୍ଟ ପଡିଥିଲା । ଏବେ ରାଜ୍ୟ ସରକାରଙ୍କ ସ୍କୁଲ ଗଣଶିକ୍ଷା ବିଭାଗ ଦ୍ୱାରା ମାର୍ଚ୍ଚ ୨୦୨୩ରେ ଏକ ପତ୍ର ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ଅଂଶ ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିବା ପାଇଁ ଅସମର୍ଥ ଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତାବକୁ ତର୍ଜମା କରିବା ପରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି ।

ପ୍ରୋଗ୍ରାମ ଆପ୍ରୁଭାଲ ବୋର୍ଡ(ପିଏମବି)ର ଅନୁମୋଦନ ଅନୁସାରେ ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାର ୩୦୮.୭୯ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ କୌଣସି ପ୍ରାବଧାନ କରାଯାଇ ନଥିବା କାରଣରୁ ଭାରତ ସରକାର ଦ୍ୱିତୀୟ କିସ୍ତିରେ ଓଡ଼ିଶାକୁ ପିଏମ ପୋଷଣ ଯୋଜନା ପାଇଁ ୨୮୩.୭୮ କୋଟି ଅର୍ଥ ଦେଇ ସାରିଥିବା ବେଳେ ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆହୁରି ୨୫ କୋଟି ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.