ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶ ଇନ୍ଦୋରରେ ରାମନବମୀରେ ବଡ଼ ଅଘଟଣ । ପୂଜାର୍ଚ୍ଚନା ବେଳେ ଛାତ ଧସିଯାଇ ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଇନ୍ଦୋରର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । ୫୦ରୁ ୬୦ ଫୁଟ ତଳେ ଫସି ରହିଥିବା ୧୯ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଭିଡ଼ ବଢ଼ିବାରୁ ଛାତ ଗଳିପଡ଼ିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏହାସହ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେପଟେ ଅଘଟଣର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏପଟେ ପଶ୍ଚିମବଙ୍ଗ ହାୱଡ଼ାରେ ରାମନବମୀ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷ ପରେ ରାସ୍ତାରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । କୁହାଯାଉଛି କି, ରାମନବମୀ ଶୋଭାଯାତ୍ରା ହାଓ୍ବଡ଼ାର ଶିବପୁରୀ ଅଞ୍ଚଳ ଦେଇ ଯିବା ସମୟରେ କେତେକ ସଂପ୍ରଦାୟର ଲୋକେ ପଥରମାଡ଼ କରିଥିଲେ । ଫଳରେ ଏହାକୁ ନେଇ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । କେତେକ ଦୁର୍ବୃତ୍ତ ରାସ୍ତାରେ ଥିବା କେତେକ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଦଙ୍ଗା ନିୟନ୍ତ୍ରଣ ବାହିନୀ ସମେତ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳର ଭିଡିଓରେ ପୁଲିସ ଭ୍ୟାନ୍ ଓ କାରର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟର ଇସ୍ଲାମପୁର ଅଞ୍ଚଳରେ ବି ରାମନବମୀ ଶୋଭାଯାତ୍ରାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । କୋଲକାତାରେ ଦୁଇ ଦିନିଆ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଙ୍ଗାକାରୀଙ୍କୁ ଦେଶର ଶତ୍ରୁ ବୋଲି କହିବା ସହ ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ମମତା ବାନାର୍ଜୀ ଭକ୍ତମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା କରିବାକୁ ନିବେଦନ କରିଥିଲେ। ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆଜି ଯେଉଁମାନେ ରାମନବମୀ ପାଇଁ ଶୋଭାଯାତ୍ରା କରୁଛନ୍ତି, ଦୟାକରି ବାହାରକୁ ଯାଆନ୍ତୁ କିନ୍ତୁ ଶାନ୍ତିରେ। ଶାନ୍ତିଶୃଙ୍ଖଳାରେ ପାଳନ କରନ୍ତୁ ଏବଂ ହିଂସା ବିସ୍ତାର କରିବାକୁ ଚେଷ୍ଟା କରନ୍ତୁ ନାହିଁ ।