ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା କାଲି ନିଆଳିର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଅନୁଷ୍ଠିତ ହେବ।ଆଜି କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କେତେକ ସ୍ଥାନରେ ନିର୍ବାଚନକୁ ନେଇ ବାଦ, ବିବାଦ,ଗଣ୍ତଗୋଳ ଓ ମତଦାନ ସମୟରେ ଗୋଷ୍ଠୀ ବିବାଦ ଦେଖା ଦେଇଥିଲା। ଏପରିକି କିଛି ପଞ୍ଚାୟତରେ ଭୋଟ ବାକ୍ସ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। କିଛି ସ୍ଥାନରେ ଭୋଟ ବାକ୍ସରେ ପାଣି ମଧ୍ୟ ଦୃବୁର୍ତ୍ତମାନେ ପୂରାଇ ଦେଇଥିଲେ। ସେ ସବୁ ସ୍ଥାନ ମାନଙ୍କରେ ମତଦାନ ବନ୍ଦ ରହିଥିଲା। ଆସନ୍ତା କାଲି ପୁର୍ନବାର ମତଦାନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେଗୁଡିକ ହେଲା ପୋଖରୀ ଗାଁ ପଞ୍ଚାୟତର ୧୨ଟି ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ହେବ।
ପୋଖରୀ ଗାଁ ପଞ୍ଚାୟତରେ୧,୭,୮,୧୧,୧୨,୧୩,୧୪,୧୫,୧୬,୧୭,୧୮ ଓ ୧୯ । ସେହିପରି ଅଲଣା ପଞ୍ଚାୟତର ୧୨ ଓ ବିଳାଶୁଣୀ ପଞ୍ଚାୟତର ୧୪ ନମ୍ବର ୱାର୍ଡରେ ସାନି ମତଦାନ ହେବ। ଏହି ମତଦାନ ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ। ସାନି ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ୮ ନମ୍ବର ବୁଥରେ ମତଦାନ ସକାଳେ ବନ୍ଦ ରହିଥିଲା। ଜବରଦସ୍ତ ମତଦାନ ଅଭିଯୋଗ ପରେ ମତଦାନ ବନ୍ଦ ରହିଥିଲା। ଏହା ସହ ନିଆଳି ପୋଖରୀ ଗାଁ ୧୯ ନମ୍ବର ବୁଥର ଭୋଟ ବାକ୍ସ ପୋଖରୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏଥିପାଇଁ ଅଧାରୁ ଅଟକି ରହିଛି ମତଦାନ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଖରୀ ଗାଁରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ଆନ୍ଦୋଳନ ହଟିଥିଲା। ଏହି ଘଟଣାର ଖବର ପାଇବା ପରେ ନିର୍ବାଚନ କମିଶନ ଏହି ନିଆଳି ବ୍ଲକର କିଛି ବୁଥରେ ସାନି ଭୋଟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।