ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଡ଼ିଜିପିଙ୍କ ସହ ଭେଟିବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ପ୍ରତିକ୍ରିୟା। ମମିତା ମେହେର ହତ୍ୟା ଘଟଣାରେ ଡ଼ିଜିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ। ତଦନ୍ତ ଓ ଚାର୍ଜସିଟ ସମ୍ବନ୍ଧରେ ଡ଼ିଜିଙ୍କ ପାଖରେ କୌଣସି ସୂଚନା ନାହିଁ। ପୁନର୍ବାର ଏହି ଘଟଣାରେ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟ୍ ରେ ନାଁ ଦାଖଲ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ପୋଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ କରିବା ନିହାତି ଆବଶ୍ୟକତା ରହିଛି। କେସକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ରାଜ୍ୟରେ ମହିଳା ସୁରକ୍ଷିତ ଅଛନ୍ତି। ମମିତା ମେହେର ଘଟଣାରେ ରାଜ୍ୟ ପୋଲିସ ତଦନ୍ତ ସଠିକ୍ ଭାବେ ଚାଲିଛି। ବର୍ତ୍ତମାନ ମାମଲା ବିଚାରାଧୀନ ରହିଛି। ପୋଲିସର ଚାର୍ଜସିଟ ଠିକ୍ ଅଛି।
ସୂଚନାଯୋଗ୍ୟ, ମହାଲିଙ୍ଗ ସନସାଇନ୍ ସ୍କୁଲର କାର୍ଯ୍ୟକାରୀ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ କଲେଜ ପରିଚାଳନା କମିଟି ସଭାପତି ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବର୍ତ୍ତମାନ ଜେଲ୍ରେ। ନିଜର ଯୌନ କେଳେଙ୍କାରୀ ଯେମିତି ଲୋକଲୋଚନକୁ ନ ଆସୁ, ସେଥିପାଇଁ ଷଡଯନ୍ତ୍ର ରଚି କାରରେ ମମିତାଙ୍କ ବେକ ଚିପି ହତ୍ୟା କରିଥିଲା ଗୋବିନ୍ଦ। ତା ପରେ ମହାଲିଙ୍ଗ ଷ୍ଟାଡିୟମ ଭିତରେ ଗାତ ଖୋଳି ସେଥିରେ ମୃତଦେହକୁ ଜାଳି ପୋତି ଦେଇଥିଲେ ଅଭିଯୁକ୍ତ ଗୋବିନ୍ଦ। ହେଲେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ନିୟମିତ ଉକ୍ତ କଲେଜ୍ ଯାଉଥିବାରୁ ସେ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ବିରୋଧୀ ଅଭିଯୋଗ କରିଥିଲେ। ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଦୀର୍ଘ ଦିନ ଧରି ରାଜ୍ୟ ହୁଲସ୍ତୁଲ ହୋଇ ଉଠିଲା। ବିରୋଧୀ ଦଳ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା।
ଅନ୍ୟପଟେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିସ୍ତୃତ ଭାବେ ନିଜର ପକ୍ଷ ରଖିସାରିଛନ୍ତି ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଥିଲେ ଗୃହ ବିଭାଗର ମୁଖ୍ୟ ଥିବାରୁ ମାମଲାର ପୋଲିସ ତଦନ୍ତ ପୁର୍ବରୁ ନିଜ ବୟାନ ରଖିବା ଉଚିତ ମଣି ନ ଥିଲି। ମୋର ନିରବତାକୁ ନେଇ ବିରୋଧୀ ଦଳଠୁ ନେଇ ଗଣମାଧ୍ୟମ ଅନେକ ପ୍ରଶ୍ନ ଉଠାଇଛନ୍ତି। ହେଲେ ମୋ ନାଁରେ କୌଣସି ଠି ବି ଅଭିଯୋଗ ହୋଇନି କି ଏଫଆଇଆର ମଧ୍ୟ ରୁଜୁ ହୋଇନି। ଏହାର ନ୍ୟାୟ ମୋ ମାତୃଶକ୍ତି ଦେବେ ବୋଲି ଦିବ୍ୟ ଶଙ୍କର କହିଥିଲେ। ।