ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି । ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ଗଛ ଉପୁଡିବା ସହ କିଛି ଘରର ଛାତ ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ।
ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିବାରୁ ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ହେଲାଣି ବିଜୁଳି ସେବା ପ୍ରଭାବିତ ହୋଇଥିଲା। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସକାଳେ ଖରା ଅପରାହ୍ନରେ ହେବ କାଳବୈଶାଖୀ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ।
ଖାସ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହୁଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣିଂ ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୯ ତାରିଖ ଗୁରୁବାର ମଧ୍ୟ କାଳବୈଶାଖୀ ପ୍ରଭାବ ରହିବାର ପୂର୍ବାନୁମାନ କରାଯାଇଛି। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ କହିଛି। କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୮ରୁ ୯ ଡିଗ୍ରୀ ହ୍ରାସ ପାଇଛି। ବୁଧବାର ରାଜ୍ୟର ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିବା ରେକର୍ଡ ହୋଇଥିଲା ।