ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଆମେରିକାର ଭରସାଯୋଗ୍ୟ ରିପୋର୍ଟ ପ୍ରଦାନକାରୀ ସଂସ୍ଥା ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ର ସର୍ଭେ ରିପୋର୍ଟ । ରିପୋର୍ଟରେ ଏତେ ବାଦ ବିବାଦ ଭିତରେ କମିନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରେଜ୍ । ରଏଟର୍ସ ସର୍ଭେ କହୁଛି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ଦଳକୁ କଡ଼ା ଟକ୍କର ଦେଇପାରେ ଟ୍ରମ୍ପଙ୍କ ରିପବ୍ଲିକାନ ଦଳ । ଅର୍ଥାତ ଟ୍ରମ୍ପ ଓ ବାଇଡେନ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଛି । ସର୍ଭେ କହୁଛି ଟ୍ରମ୍ପଙ୍କୁ ଏବେ ବି ୪୭% ଜନତାଙ୍କ ସମର୍ଥନ ରହିଛି । ନିର୍ବାଚନରେ ଏମାନଙ୍କ ମଧ୍ୟରୁ ୪୦% ଭୋଟ ଦେଇପାରନ୍ତି । ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ କେବଳ ୧୬% ଲୋକ ସତ ମାନିବା ସହ ଅଧିକାଂଶ ଏହାକୁ ଖାରଜ କରୁଛନ୍ତି । ତେଣୁ ନିର୍ବାଚନରେ ପୁଣି ଚମକ ଦେଖାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ । କିଛି ଦିନ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟ୍ରୋମି ଡାନିଏଲଙ୍କୁ ଲାଞ୍ଚ ଦେବା ମାମଲାରେ ଟ୍ରମ୍ପ ଫସିବା ଯୋଗୁଁ ପ୍ରଥମେ ଗିରଫ ଓ ପରେ ଜାମିନ ପାଇଥିଲେ । ତାଙ୍କ ଉପରେ ମୋଟ ୩୬ଟି ଅଭିଯୋଗ ରହିଛି । ରାଷ୍ଟ୍ରପତି ପଦରେ ରହିସାରିଥିବା କୌଣସି ରାଜନେତା ଏଭଳି ମାମଲାରେ ଫଶିବା, ଗିରଫ ହେବା ଘଟଣା ଆମେରିକା ରାଜନୀତିରେ ବିରଳ ଥିଲା । ଏତେ ବଡ ବିବାଦରେ ଫଶିବା ସତ୍ୱେ ଟ୍ରମ୍ପଙ୍କ କେଜ୍ର କମ ହୋଇନି । କିଛି ଦିନ ପୂର୍ବରୁ ଟୁଇଟର ମାଲିକ ଏଲନ ମସ୍କ ମଧ୍ୟ ଟୁଇଟ କରି ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ । ମସ୍କ କହିଥିଲେ ନିର୍ବାଚନରେ ବହୁମତ ସହ ବିଜୟ ହାସଲ କରିବେ ଡୋନାଲ୍ଟ ଟ୍ରମ୍ପ ।
ସୂଚନାଯୋଗ୍ୟ, ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ କାଠଗଡ଼ାକୁ ଟଣାଯାଇଛି। ଏପରି ଭାବେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆମେରିକାରେ ପ୍ରଥମ, ମାତ୍ର ବିଶ୍ବରେ ନୁହେଁ। ଗତ ସପ୍ତାହରେ ନ୍ୟୁୟର୍କରେ ବିଚାରଣାର ସମ୍ମୁଖୀନ ହୋଇଥିବା ଟ୍ରମ୍ପ ଏହି ଘଟଣାକୁ ନେଇ କହିଛନ୍ତି ଯେ ଆମେରିକା ଏବେ ଏକ ତୃତୀୟ ବିଶ୍ବର ଦେଶ ପାଲଟିଛି। ତେବେ ରିପବ୍ଲିକାନମାନେ ତାଙ୍କର ଏହି ଉକ୍ତିକୁ ଗ୍ରହଣ କରିନାହାନ୍ତି। ସେମାନେ କହିଛନ୍ତି ଟ୍ରମ୍ପ ଦୋଷୀସାବ୍ୟସ୍ତ ହେବା ଆମେରିକାରେ ପ୍ରଥମ ହୋଇପାରେ, ମାତ୍ରରେ ବିଶ୍ବରେ ଏମିତି ଘଟଣା ଅନେକ ଘଟିଛି। ଆମେରିକା କେବେହେଲେ ତୃତୀୟ ବିଶ୍ବର ଏକ ବାନାନା ରିପବ୍ଲିକ୍ ହୋଇ ନ ପାରେ। ଟ୍ରମ୍ପ ବର୍ତ୍ତମାନ ବିଶ୍ବର ସେହି ନେତାମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଗଣା ହେଉଛନ୍ତି ଯେଉଁମାନେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ତାଙ୍କ କାର୍ଯ୍ୟକାଳ ଅନ୍ତେ କାଠଗଡ଼ାକୁ ଟଣା ହୋଇଛନ୍ତି। ଏହି ତାଲିକାରେ ରହିଛନ୍ତି ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି, ଯାହାଙ୍କ ବିରୋଧରେ ତିନି ଡଜନରୁ ଅଧିକ ଅପରାଧିକ ମାମଲା ରହିଛି ଏବଂ ଯିଏ ୨୦୧୨ରେ ଏକ ଟିକସ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ମଧ୍ୟ ୨୦୨୦ରେ ଦୁର୍ନୀତି ଅଭିଯୋଗରେ କାଠଗଡ଼ାକୁ ଟଣାଯାଇଥିଲା। ପୂର୍ବତନ ତାଇୱାନ ରାଷ୍ଟ୍ରପତି ଚେନ ସୁଇବିୟାନ ମଧ୍ୟ ୨୦୦୯ରେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଫ୍ରାନ୍ସ, ଦକ୍ଷିଣ କୋରିଆ ଓ ବ୍ରାଜିଲ ପରି ଦେଶର ନେତାମାନେ ଅପରାଧ ଅଭିଯୋଗରେ କଠଗଡ଼ାକୁ ଟଣା ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ପ୍ରାୟ ୮୦ଟି ଦେଶର ପୂର୍ବତନ ନେତାମାନେ ଜେଲ ଯାଇଛନ୍ତି ବା ଦୋଷୀସାବ୍ୟସ୍ତ ହୋଇଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ଲୁଜ୍ ଇନାସିଓ ଲୁଲା ଦା ସିଲ୍ଭା ଗତ ଜାନୁଆରିର ଜୈର୍ ବୋଲସୋନାରୋଙ୍କୁ ହରାଇ ପୁନଶ୍ଚ କ୍ଷମତାକୁ ଫେରିଛନ୍ତି। କିନ୍ତୁ ତାଙ୍କୁ ୨୦୧୮ରେ ଦୁର୍ନୀତି ଅପରାଧରେ ୧୨ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ପୂର୍ବତନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନିକୋଲାସ ସାର୍କୋଜିଙ୍କୁ ୨୦୨୧ରେ ଏକବର୍ଷର ଜେଲଦଣ୍ଡ ଦିଆଯାଇଥିଲା। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଜିଉଁ ହାଇଙ୍କୁ ୨୦୨୧ରେ ଦୁର୍ନୀତି ପାଇଁ ୨୪ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇ ପରେ କ୍ଷମା ଦିଆଯାଇଥିଲା।