୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ RI ଓ ARI

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଷଜମିର କିସମ ପରିବର୍ତ୍ତନ କରି ଘରବାରି ପଟ୍ଟା ପ୍ରଦାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆର୍‌ଆଇ, ଏଆର୍‌ଆଇ ଓ ଜଣେ ବ୍ୟକ୍ତିଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ସେମାନେ ହେ‌ଲେ ଗଞ୍ଜାମ ଜିଲ୍ଲା ସାନ‌ଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ଆର୍‌ଆଇ ଆଦିତ୍ୟ ପ୍ରସାଦ ସେନାପତି, ଏଆର୍‌ଆଇ ଟିଟୁ ସେଠୀ ଓ ସହଯୋଗୀ ମନୋରଂଜନ ସାହୁ।

୧୦ ହଜାର ନ ହେଲେ କାମ ହେବନି ବୋଲି ବି ରୋକଠୋକ ଶୁଣାଇଦେଲେ। ମାତ୍ର ବହୁ ମୁଲଚାଲ ପରେ ଶେଷରେ ୫ ହଜାରରେ କଥା ଛିଣ୍ଡିଲା। ଆଉ ଆଜି ଏହି ୫ ହଜାର ଟଙ୍କା ନେଉଥିବା ବେଳେ ଜଣେ ରାଜସ୍ୱ ନିରୀକ୍ଷକ(RI) ଓ ଆସିଷ୍ଟାଷ୍ଟ ରାଜସ୍ୱ ନିରୀକ୍ଷକ (ARI)ଙ୍କୁ ମାଡ଼ି ବସିଛି ଭିଜିଲାନ୍ସ।  ସୂଚନା ମୁତାବକ,  ପୋଡ଼ାମାରି ଗ୍ରାମର ବାଳକୃଷ୍ଣ ପଣ୍ଡା ନିଜ ଘରବାଡ଼ି ପଟ୍ଟା ପାଇଁ ପୋଡ଼ାମାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠି ତାଙ୍କୁ କହିଥିଲେ। ମାତ୍ର ଶେଷରେ ବାଳକୃଷ୍ଣ ୫ ହଜାର ଟଙ୍କା ଦେବା ପାଇଁ ରାଜି ହେଇଥିଲେ |

ଆଜି ସକାଳେ ବାଳକୃଷ୍ଣ ଲାଞ୍ଚ ଟଙ୍କା ଦେବା ନିମନ୍ତେ ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠିଙ୍କୁ ପୋଡ଼ାମାରିର ବସଷ୍ଟାଣ୍ଡ ନିକଟକୁ ଡକାଇଥିଲେ। ସେଠାରେ ଉଭୟ ପହଞ୍ଚିବା ପରେ ବାଳକୃଷ୍ଣ ସେମାନଙ୍କୁ ଟଙ୍କା ଦେଇଥିଲେ। ଏହାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରି ନେଇଛନ୍ତି। ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ନେଇ ଅଧିକ ପଚରାଉଚରା କରାଯାଉଛି।

Comments are closed.