ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛାତିଥରା ଦୁର୍ଘଟଣା। ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ।୧୦୮ ଧକ୍କାରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା।
ସୂଚନା ମୁତାବକ, ଗତ ରାତିରେ ଉଦଳା ଥାନା ପୁଲିସ୍ ଗାଡ଼ି ପାଟ୍ରୋଲିଂରେ ବାହାରିଥିଲା। ଉକ୍ତ ଗାଡ଼ିରେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ। ଗାଡ଼ିଟି ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ରୋଗୀ ଛାଡ଼ି ଉଦଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପୁଲିସ୍ ଭ୍ୟାନ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ପୁଲିସ୍ ଗାଡ଼ିଟି ପ୍ରାୟ ୩ ଥର ଓଲଟି ପଡ଼ିଥିଲା। ଆଉ ତାହା ତଳେ କର୍ମଚାରୀମାନେ ଚାପି ହୋଇ ରହି ଯାଇଥିଲେ।
ଖବର ପାଇ ତୁରନ୍ତ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୁଲିସ ଗାଡ଼ି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ପରେ କଟକ ବଡ଼ ମେଡିକାଲକୁ ପଠାଯାଇଛି। ପୁଲିସ ଗାଡ଼ିକୁ ଦେଖିଲେ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ବାରି ହୋଇ ପଡୁଛି। ଦୁର୍ଘଟଣାରେ ପୁଲିସ ଗାଡି ଏବଂ ୧୦୮ ଉଭୟ ଚୁରମାର। ଖବର ପାଇଁ ଏସଡିପିଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୁରା ଘଟଣା ଉପରେ ନଜର ରଖିଛନ୍ତି।