ଦିଗପହଣ୍ଡି ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଗଲା ଆଉ ଜଣଙ୍କର ଜୀବନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ ୨୫ ତାରିଖ ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କାର ଲୋମଟାଙ୍କୁରା ତଥା ଛାତିଥରା ଦୃଶ୍ୟ ଲୋକଙ୍କ ଆଖି ଆଗରେ ନାଚୁଥିବା ବେଳେ ପୁଣି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ମଙ୍ଗଳବାର ଦିନ ମୃତକଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁଭେନ୍ଦୁ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚି। ଗତ ୨୫ ତାରିଖ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ବାହାଘର କାର୍ଯ୍ୟ ସାରି ବ୍ରହ୍ମପୁରରୁ ପରିବାର ଲୋକେ ଏକ ମିନିବସ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଖେମୁଣ୍ଡି କଲେଜ ନିକଟରେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓ ଏସ୍ ଆର୍‌ଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ  ଖଣ୍ଡଦେଉଳି ଗ୍ରାମର ୪ ଜଣ, ଭଞ୍ଜନଗର ମୁଜାଗଡ଼ ଗ୍ରାମର ୫ ଜଣ, ଗଡଗୋବିନ୍ଦପୁର ଏବଂ ସିଙ୍ଗିପୁର ଗ୍ରାମର ଜଣେ ଲେଖାଏଁ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ମୃତକମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଶିଶୁ ସାମିଲ ଥିଲେ। ବସ୍‌ ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟ ୭ ଜଣ ଗୁରୁତର ଏବଂ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ। ତେବେ ଆଜି ସକାଳ ସାଢେ ୧୦ ଘଣ୍ଟା ସମୟରେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶୁଭେନ୍ଦୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ। ପୂର୍ବରୁ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଶୁଭେନ୍ଦୁଙ୍କ ସ୍ତ୍ରୀ ସୁଜ୍ଞାନୀ ପ୍ରଧାନ ଓ ୩ ବର୍ଷର ପୁଅ ଦେବାଂଶୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଆଜି ଦଶାହ କାର୍ଯ୍ୟ ନିମନ୍ତେ ପୁଣିଥରେ ଏକ ଦୁଃଖଦ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିବା ଜଣାପଡିଛି।

Leave A Reply

Your email address will not be published.