ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏକନାଥ ସିନ୍ଦେ ଓ ବିଜେପିର ମିଳିତ ସରକାରକୁ ନେଇ ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ନେତା ସଂଜୟ ରାୱତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ରର ସିନ୍ଦେ-ଫଡନଭିସ୍ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଭାଙ୍ଗିବାକୁ ଯାଉଛି । ସେ କହିଛନ୍ତି କି ଚଳିତ ସରକାରର ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି । ସଂଜୟ ରାୱତଙ୍କ ଏଭଳି ଦାବି ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ସଂଜୟ ରାୱତ କହିଛନ୍ତି କି ମହାରାଷ୍ଟ୍ର ସରକାରକୁ ନେଇ ସମସ୍ତେ ନିଜ ନିଜ ଗଣିତ ପ୍ରକାଶ କରୁଛନ୍ତି । ହେଲେ ସେ ଫଳାଫଳକୁ ଅପେକ୍ଷା କରୁଛନ୍ତି ଓ ସିନ୍ଦେଙ୍କ ସମର୍ଥନରେ ଶିବସେନାକୁ ଯେଉଁ ୪୦ ଜଣ ବିଧାୟକ ଦୁଇଭାଗ କରିଦେଇଥିଲେ ସେମାନେ ଏବେ ସିନ୍ଦେଙ୍କ ପରିଚାଳନାରେ ଚାଲିଥିବା ସରକାରରେ ରହିବାକୁ ପସନ୍ଦ କରୁନାହାଁନ୍ତି । ଅନ୍ୟପଟେ କିଛିଦିନ ତଳେ ଏନସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ବୟାନ ଦେଇଥିଲେ ତାହାକୁ ସମର୍ଥନ କରିଛନ୍ତି ସଂଜୟ ରାୱତ । ସେ କହିଛନ୍ତି ଯେ, ଅଜିତ ପାୱାରଙ୍କ ପାଖରେ ପ୍ରଶାସନିକ ଦକ୍ଷତା ରହିଛି ତେଣୁ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶତପ୍ରତିଶତ ଯୋଗ୍ୟ । ଏହାସହ ଅଜିତ୍ ପାୱାର ମହାରାଷ୍ଟ୍ର ସରକାରରେ ଅନେକ ଥର ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେଣୁ ଆଗାମୀ ଦିନରେ ଅଜିତ୍ ପାୱାର ମୂୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଇଶାରା ଦେଇଛନ୍ତି ସଂଜୟ ରାୱତ ।
ଏପଟେ ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ମତଭେଦ ଦେଖାଦେଇଛି । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ସହ ହାତ ମିଳାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମହାରାଷ୍ଟ୍ରରେ ସରକାରରେ ସାମିଲ ହେବ ନାହିଁ । ଶିରସାତ୍ ମଙ୍ଗଳବାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ଏନସିପି ସିଧାସଳଖ ବିଜେପି ସହ ହାତ ମିଳାଇବ ନାହିଁ। ଏଣୁ ଆମ ରଣନୀତି ସ୍ପଷ୍ଟ ରହିଛି। ଏନସିପି ହେଉଛି ସେହି ଦଳ ଯିଏ ଠକେଇ କରିଥାଏ । ଆମେ ଏନସିପି ସହ ମିଶି ଶାସନ କରିବୁ ନାହିଁ । ଯଦି ବିଜେପି ଏନସିପି ସହ ଯିବ ତେବେ ମହାରାଷ୍ଟ୍ର ଲୋକେ ଏହାକୁ ପସନ୍ଦ କରିବେ ନାହିଁ । ଆମେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲୁ କାରଣ ଲୋକମାନେ ଆମକୁ କଂଗ୍ରେସ ଏବଂ ଏନସିପି ସହିତ ରହିବାକୁ ପସନ୍ଦ କରୁନଥିଲେ। ସେ କହିଛନ୍ତି, ଆମେ କଂଗ୍ରେସ ଓ ଏନସିପି ଛାଡିଥିଲୁ କାରଣ ଆମେ ସେମାନଙ୍କ ସହିତ ରହିବାକୁ ଚାହୁଁନଥିଲୁ । ଏନସିପିରେ ଅଜିତ ପାୱାରଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ନାହିଁ। ତେଣୁ ଯଦି ସେ ଏକୁଟିଆ ଏନସିପି ଛାଡିବେ ତେବେ ଆମେ ତାଙ୍କୁ ସ୍ୱାଗତ କରିବୁ । ଯଦି ସେମାନେ ଏନସିପି ନେତାଙ୍କ ଏକ ଗୋଷ୍ଠୀ ସହ ଆମ ପଟକୁ ଆସନ୍ତି, ତେବେ ଆମେ ମେଣ୍ଟ ସରକାରରେ ସାମିଲ ହେବୁ ନାହିଁ । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ବ୍ୟତୀତ କଂଗ୍ରେସ ଏବଂ ଏନସିପି ମହାରାଷ୍ଟ୍ରର ପୂର୍ବ ମହାବିକାଶ ଆଘାଡି (ଏମଭିଏ) ସରକାରରେ ସାମିଲ ଥିଲେ।