ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା ଏହି ପବିତ୍ର ଧାମର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ପ୍ରସ୍ତୁତ କରୁଛି। ଶାସନତନ୍ତ୍ରର ଏହା ଦାୟିତ୍ବ ଯେ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀର ରୂପ ପ୍ରଦାନ ନକରୁ। ମୁଁ ବିକାଶକୁ ସମର୍ଥନ କରେ। ମାତ୍ର ବିକାଶ ନାମରେ ତୀର୍ଥସ୍ଥାନର ଅସ୍ତିତ୍ବ ଓ ଆଦର୍ଶ ବିଲୁପ୍ତ ହୋଇଯିବ ଏହାକୁ ସମର୍ଥନ କରେ ନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ଗୋବର୍ଦ୍ଧନ ମଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗବେଷକ, ସଂଗଠକ ଓ ଐତିହ୍ୟ ବିଶାରଦମାନଙ୍କୁ ନେଇ ଦୀର୍ଘ ୫ ଘଣ୍ଟା କାଳ ଅଲୋଚନା ହୋଇଥିଲା । ସବୁବର୍ଗର ଲୋକଙ୍କଠାରୁ ଶୁଣିବା ପରେ ଶଙ୍କରାଚାର୍ଯ୍ୟ ଆଜି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ।
ସେଥିରେ କହିଛନ୍ତି, ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି । ଆମେ ବିକାଶ ଚାହୁଁଛୁ ମାତ୍ର ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ । ପ୍ରଶସ୍ତ ମାର୍ଗ ନାଁରେ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା । ଦେବୀ ଦେବତା ମନ୍ଦିର ବି ବିଲୁପ୍ତ କରିଦିଆଯାଉଛି । ପୁରୀ ହେଉଛି ଧାର୍ମିକ ରାଜଧାନୀ । ଏହାକୁ ବିକୃତ ଓ ବିଲୁପ୍ତ କରା ନ ଯାଉ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ପିକନିକ୍ ସ୍ଥଳୀ କରିବା ଠିକ୍ ନୁହେଁ । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଉଚିତ ନୁହେଁ । ତପସ୍ଥଳୀକୁ ଭୋଗସ୍ଥଳୀ ସୁର-ସୁନ୍ଦରୀଙ୍କ ସ୍ଥାନ କଲେ ଦେବୀ ଦେବତା କୋପ କରିବେ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋ କଥାକୁ ଅନୁଧ୍ୟାନ କରନ୍ତୁ । ମଠ ଭଙ୍ଗା ପାଇଁ ଦୁଃଖ ପ୍ରକାଶ କରନ୍ତୁ । ଭବିଷ୍ୟତରେ ଆଉ ନ କରନ୍ତୁ ।
ରାଜ୍ୟ ସରକାରଙ୍କ ଉପରେ ଶଙ୍କରାଚାର୍ଯ୍ୟ ଏଭଳି ବର୍ଷିବା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଶଙ୍କରାଚାର୍ଯ୍ୟଙ୍କ ଆଭିମୁଖ୍ୟକୁ ଅଧିକାଂଶ ସେବାୟତ କିନ୍ତୁ ଗ୍ରହଣ କରିନାହାନ୍ତି । ‘ମଠ ଭଙ୍ଗାହେଲା ବେଳେ ଆମେ ସମସ୍ତେ ଯାଇ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ମାତ୍ର ସେ ଧ୍ୟାନ ଦେଇ ନ ଥିଲେ । ଏବେ ସବୁ ସରି ପ୍ରକଳ୍ପ କାମ ଆଗକୁ ଯିବା ବେଳେ ତାଙ୍କର ସ୍ୱର ଶୁଭୁଛି । ଏହା ଠିକ୍ ନୁହେଁ’ ବୋଲି ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି । କୌଣସି ପରିସ୍ଥିତିରେ ପ୍ରକଳ୍ପ ବନ୍ଦ ନହେଉ ବୋଲି ସେ ମତ ଦେଇଛନ୍ତି ।
ବିଜେପି ମୁଖପାତ୍ର ଡ. ଯତୀନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳ ବିକାଶକୁ ବିରୋଧ କରୁନି । ମାତ୍ର ଆଇନ ଅନୁସାରେ ନିର୍ମାଣ କାର୍ଯ୍ୟ ହେଉ । ସେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହୁ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ସମସ୍ତଙ୍କ ସାମନାରେ ରଖିବାକୁ ସେ ଦାବି କରିଛନ୍ତି ।
ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦିତ । ସାଧାରଣ ଜନତା ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ୍ ଡୋମେନରେ ରଖାଯାଇଥିଲା । ଏହାପରେ ଯାଇ ପରିଚାଳନା କମିଟି ଦ୍ୱାରା ଯୋଜନା ଅନୁମୋଦିତ ହୋଇଥିଲା । ରାଜ୍ୟ ସରକାର ଯୋଜନାକୁ ଓଡ଼ିଶା ବିଧାନସଭାକୁ ଆଣିଥିଲେ । ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।
ଯୋଜନା ଅନୁମୋଦନ ପାଇଁ ଏନଏମଏକୁ ପଠାଯାଇଥିଲା ଏବଂ ଏନଏମଏ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏହାପରେ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଯାଇ କାମ ଆରମ୍ଭ ହେଲା ।
ଏଏସଆଇର କିଛି ପରାମର୍ଶକୁ ଗ୍ରହଣ କରାଯାଇ ଯୋଜନାରେ ସଂଶୋଧନ କରାଯାଇଥିଲା ବୋଲି ମଧ୍ୟ ବିଜେଡ଼ି ମୁଖପାତ୍ର କହିଛନ୍ତି । ରାଜ୍ୟ ସରକାର ସମସ୍ତଙ୍କ ସ୍ୱୀକୃତିରେ କାମ ଆରମ୍ଭ କରିଥିବାରୁ ଏଥିରେ ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି । ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପରିକ୍ରମା ପ୍ରକଳ୍ପକୁ ସମର୍ଥନ ପାଇଁ ସେ ସହଯୋଗ କାମନା କରିଛନ୍ତି ।