ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ବନ୍ଧା ହେଲେ ମୂର୍ତ୍ତିକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗରେ ବନ୍ଧାହେଲେ କାରିଗର। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ଗିରଫ ହୋଇଥିଲା ବେଳେ ଶିବାଜୀଙ୍କ ମୂର୍ତ୍ତି କାରିଗର ଜୟଦୀପ ଆପଟାଙ୍କୁ ଖୋଜୁଥିଲା ପୋଲିସ। ଘଟଣାର ପାଖାପାଖି ୧୦ ଦିନ ପରେ ବୁଧବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ୍। ଜୟଦୀପ ଆପଟେ କଲ୍ୟାଣ ଅଞ୍ଚଳରେ ଏକ ଆର୍ଟ କଲେଜ ପରିଚାଳନା କରନ୍ତି। ତାଙ୍କ ନିକଟରେ ବଡ଼ ମୂର୍ତ୍ତି ନିର୍ମାଣର ଅନୁଭବ ନ ଥିବା ବେଳେ ସେ ୩୫ ଫୁଟ ଉଚ୍ଚର ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ।

ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ମାତ୍ର ୮ ମାସ ନ ପୁରୁଣୁ ଏହି ମୂର୍ତ୍ତିଟି ଭାଙ୍ଗି ଯାଇଥିଲା। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା।

ନିର୍ମାଣରେ କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପରି ନିମ୍ନମାନର ଜିନିଷ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।ଏହି ଘଟଣାରେ ପୁଲିସ୍‌ ରୁଜୁ କରିଥିବା ମାମଲାରେ ଆର୍କିଟେକ୍‌ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ଚେତନ ପାଟିଲଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଜଗଦୀପ ଆପେଟଙ୍କୁ ବାନ୍ଧିଛି ପୁଲିସ୍‌।

Leave A Reply

Your email address will not be published.