ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା, ମେଲୋଡ଼ି, ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବ ସମାପନ ପାଇଁ ଏହି ଅବସରରେ ତିନୋଟି ସମନ୍ୱୟ କମିଟି ଗଠନ କରାଯାଇଛି ।
କେଶପୁର ଅଂଚଳକୁ ନେଇ ପ୍ରଥମ ସମନ୍ୱୟ କମିଟି ଗଠନ ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ଅଂଚଳକୁ ନେଇ ଦ୍ୱିତୀୟ ଓ ନୂଆ ବସ୍ଷ୍ଟାଣ୍ଡ ଅଂଚଳକୁ ନେଇ ତୃତୀୟ ସମନ୍ୱୟ କମିଟି ଗଠନ ହୋଇଛି । ପରେପରେ ଭଷାଣୀରେ ସାମିଲ ହେବାକୁ ଥିବା ମେଢ଼ମାନଙ୍କର କ୍ରମ ନିରୂପଣ ପାଇଁ ଲଟେରୀ ହୋଇଥିଲା । ସୂଚନା ଯୋଗ୍ୟ ଯେ, ପୁରୁଣା ବସ୍ଷ୍ଟାଣ୍ଡଠାରୁ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ରହିଥିବା ମା’ ଥାନପତି କ୍ଲବ୍, ମା’ କାକଟ ମଙ୍ଗଳା କ୍ଲବ୍, ପୁରୁଣା ବସଷ୍ଟାଣ୍ଡ ପୂଜା କମିଟି ଲଟେରୀ ପ୍ରକ୍ରିୟାରେ ସାମିଲ୍ ହୋଇନଥିଲେ । ସେହିପରି ପୁରୁଣା ବସଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ଥିବା ବ୍ୟାସ ସରୋବର ପୂଜା କମିଟି, ସାନ୍ତ ସାହି ଲଟେରୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିନଥିଲେ । ଅନ୍ୟ ସମସ୍ତ ୪୪ଟି ପୂଜା କମିଟି ଲଟେରୀ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମୋଟ୍ ୬୮ଟି ମେଢ଼ ମଧ୍ୟରୁ ଚଳିତଥର ୪୮ଟି ମେଢ଼ ଭଷାଣୀ ଉତ୍ସବରେ ସାମିଲ ହେବେ । ପୁରୁଣା ବସଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ୨୨ଟି ମେଢ଼ ଯିବାକୁ ଥିବା ବେଳେ ନୂଆବସ୍ଷ୍ଟାଣ୍ଡ ଆଡ଼କୁ ଯିବେ ୨୬ଟି ମେଢ଼ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର(ରାଜସ୍ୱ)ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍ଦାର ଅଞ୍ଜଳୀ ତରାଇ, ମୁନିସିପାଲିଟିର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଟାଉନ୍ ଥାନା ଆଇଆଇସି ଦିଲ୍ଲିପ କୁମାର ସାହୁ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ସମସ୍ତ ପୂଜା କମିଟିର କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କେନ୍ଦ୍ରାପଡ଼ା ତହସିଲ୍ଦାର ଅଞ୍ଜଳୀ ତରାଇ ।