ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା। ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ।
ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଥିବା କୁହାଯାଉଛି। ବାଂଲାଦେଶରେ ଗତ ମାସରେ ସଂରକ୍ଷଣ ବିରୋଧୀ ହିଂସା ଆରମ୍ଭ ହୋଇଥିଲା। ସ୍ଵାଧୀନତା ସଂଗ୍ରାମୀ ପରିବାରଗୁଡ଼ିକୁ ସରକାରୀ ଚାକିରି କ୍ଷେତ୍ରରେ ମାତ୍ରାଧିକ ସଂରକ୍ଷଣ ସୁବିଧା ଦିଆଯାଉଥିବାରୁ ଏହା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ହେଲେ ବର୍ତ୍ତମାନ ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାରଠାରୁ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ଏହି ସଂଘର୍ଷରେ ଅତି କମ୍ରେ ୧୪ ଜଣ ପୁଲିସ୍ ର୍ମଚାରୀଙ୍କ ସମେତ ଅତିକମରେ ୩୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରବିବାର ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ ‘ଅସହଯୋଗ କାର୍ଯ୍ୟକ୍ରମ’ରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ବିଗୁଡୁଥିବା ଦେଖି ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି।