୧୦ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ରୁପା ଛାଉଣୀ କାର୍ଯ୍ୟ, ଏଏସଆଇ ପକ୍ଷରୁ ଗର୍ଭଗୃହ ମରାମତି କାର୍ଯ୍ୟ ଶେଷ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିରର ପ୍ରସ୍ତାବିତ ସମସ୍ତ ଦ୍ଵାରର ରୁପା ଛାଉଣୀ କାମ ଆସନ୍ତା ୧୦ ତାରିଖ ମଧ୍ୟରେ ସରିବ । କଳାହାଟ ଦ୍ୱାରର ରୁପା ଛାଉଣୀ କାମ ଏହି ସମୟ ଅବଧି ମଧ୍ୟରେ ଶେଷ କରାଯାଉଛି । ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ମଧ୍ୟ ଶେଷ କରାଯାଉଛି । ଆସନ୍ତା ୧୨ରେ ନିଳାଦ୍ରୀ ବିଜେ ପୂର୍ବରୁ ଗର୍ଭଗୃହର ବିଭିନ୍ନ ଅଂଶକୁ ସଫା କରାଯିବା ସହ ରାସାୟନିକ ପ୍ରଲେପ ଦିଆଯାଇଛି । ରୋଷ ଶାଳାର ନଷ୍ଟ ହୋଇଥିବା ପଥର ଗୁଡିକୁ ଖାଣ୍ଡେଲାଇଟ ପଥର ଦ୍ଵାରା ବଦଳାଇବା କାର୍ଯ୍ୟ ମଧ୍ୟ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।

ଗତବର୍ଷ ନଭେମ୍ବର ୨୬ରେ ଏହି ରୂପା ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାପାଳଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୂପାକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ସାତଟି ଦ୍ୱାରର ରୂପାଛାଉଣି କାମ ସରିଛି । ବେହରଣ ଦ୍ୱାର, ଜୟବିଜୟ, ସାତପାହାଚ, ଭୋଗମଣ୍ଡପ, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ସରିଛି । କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପାଛାଉଣି କାର୍ଯ୍ୟ । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.