ଲକ୍ଷ୍ମୀପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ବାତିଲ ଉପରେ ସୁପ୍ରିମକୋର୍ଟ ସୁରକ୍ଷିତ ରଖିଲେ ଆଦେଶ

0

ଲକ୍ଷ୍ମୀପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ଦାବି ଉପରେ ସୁପ୍ରିମକୋର୍ଟ ଆଦେଶ ସଂରକ୍ଷିତ ରଖିଛନ୍ତି।ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୁର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ସୁପ୍ରିମକୋର୍ଟର ବେଞ୍ଚ ପ୍ରାୟ ୫୦ ମିନିଟର ଶୁଣାଣି ପରେ ଏହି ଆଦେଶ ସଂରକ୍ଷିତ ରଖିଥିଲେ। ଏହାର ଶୁଣାଣି ସମୟରେ ଏହି ଘଟଣାରେ ନିହତ ହୋଇଥିବା ଜଣେ କୃଷକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ମାମଲାର ଗମ୍ଭୀରତା ନ ଦେଖି ହାଇକୋର୍ଟ ଜାମିନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆଶିଷ ମିଶ୍ର କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ ଜାମିନ ବାତିଲ କରନ୍ତି ତେବେ କୌଣସି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବେ ନାହିଁ।

ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଏହି ଘଟଣାର ଅନୁସନ୍ଧାନ କରୁଥିବା ଏସଆଇଟି ଏକ ରିପୋର୍ଟ ଦାଖଲ କରିଛି। ଆଶିଷଙ୍କ ଜାମିନ ପରେ ସେ ୟୁପି ସରକାରଙ୍କୁ ଦୁଇଟି ଚିଠି ଲେଖିଛନ୍ତି ବୋଲି ଏସଆଇଟି କହିଛି। ସୁପ୍ରିମକୋର୍ଟରେ ଆଶିଷଙ୍କ ଜାମିନକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଆଶିଷ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ଅଛି ବୋଲି ଏସଆଇଟି କହିଛି। 

ଖେରୀ ହିଂସାକାଣ୍ଡ ମାମଲାର ତଦନ୍ତ କରୁଥିବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌’ ଟିମ୍‌ ସୁପାରିସ ସତ୍ତ୍ବେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଥିବା ଜାମିନ କାହିଁକି ଖାରଜ କରାଗଲା ନାହିଁ ବୋଲି ମାର୍ଚ ୩୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ପ୍ରଶାସନକୁ ପଚାରିଥିଲେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ୯ ତାରିଖ ଦିନ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରୀରେ କୃଷକମାନଙ୍କ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.