ଅନୁଗୋଳ(ଓଡ଼ିଆ ନ୍ୟୁଜ୍): ଗୁରୁବାର ଦିନ ଠାରୁ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଥାଏ ବାଘ ଗଣନା। ଏହି ଗଣନା ଏକ ସପ୍ତାହ ଧରି ଚାଲିବ । ଏହାରି ମଧ୍ୟରେ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀ ଦୀର୍ଘ ୬ ମାସ ହେବ ନିଖୋଜ ଅଛି।
ବାଘଗଣନା ପାଇଁ ଗୋଟିଏ ମାସ ପର୍ୟ୍ୟନ୍ତ କ୍ୟାମେରା ଟ୍ୟାପ୍ କରାଯିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ୫ଶହରୁ ଉର୍ଦ୍ଧ୍ବ କ୍ୟାମେରା ଲାଗିଛି । ଏହା ଏକ ରେଗୁଲାର ପ୍ରୋସେସ । କ୍ୟାମେରା ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ସମସ୍ତ ବିଟ୍ରେ ବାଘ ଗଣନା ହେବ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି । ସେପଟେ କିନ୍ତୁ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ପତ୍ତା ମିଳୁନି । ଗତ ନଭେମ୍ବରରୁ ବାଘୁଣୀର ପତ୍ତା ମିଳୁନାହିଁ। କ୍ୟାମେରାରେ ବାଘୁଣୀକୁ ଦେଖିବାକୁ ମିଳୁନାହିଁ କି ବାଘୁଣୀର ପାଦ ଚିହ୍ନ ମଧ୍ୟ କୌଣସି ସ୍ଥାନରେ ଦେଖାଯାଉନାହିଁ । ରାଜ୍ୟରେ ବେଧଢକ ଜୀବଜନ୍ତୁଙ୍କ ଚମଡା, ନଖ କାରବାର ଚାଲିଥିବା ବେଳେ ସାତକୋଶିଆର ଏକମାତ୍ର ଏହି ବାଘୁଣୀଟି ଜୀବିତ ଅଛି ନା କେଉଁ ଶୀକାରୀର ଶୀକାର ହୋଇଛି ତାକୁ ନେଇ ସନ୍ଦେହ ବଡ଼ୁଛି ।