ନୀଳଗିରି(ଓଡ଼ିଆ ନ୍ୟୁଜ୍):ବାପା.. ଅଭାବ କଷଣ ମଝିରେ ସବୁଥର ନିଜ ଇଚ୍ଛାଚୁ ମାରିପାରୁ ଥିବା ମଣିଷ ଟିଏ । ବରଗଛଟେ ପରି ସନ୍ତାନଙ୍କ ପାଇଁ ଖରା-ବର୍ଷା ସହୁଥିବା ଭରସା ଟିଏ । ତାଗିଦ୍ ଓ କଟକଣା ଭିତରେ ପ୍ରତି ମୂହୂର୍ତ୍ତରେ ନିଜକୁ ଟିକ୍ ଟିକ୍ କରୁଥିବା ଶବ୍ଦ ଟିଏ । ହେଲେ ସେଇ ବାପା ଆଖିରେ ଆଜି ଲୁହ । ବୟସର ଅପରାହ୍ଣରେ ସାହାରା ବଦଳରେ ମାନବିକତାର ସବୁ ସୀମା ଟପିଗଲା ପୁଅ। ଯେଉଁ ହାତରେ ବୃଦ୍ଧ ମା’, ବାପାର ସେବା ସୁଶ୍ରୁଷା କରିବା କଥା, ପରିଣତ ବୟସରଙ୍କ ସେହି ହାତରେ ବାପାକୁ ମାଡ଼ ମାରି ଖଣ୍ଡିଆ ଖାବରା କରିଦେଲା ପୁଅ । ଡାକ୍ତରଖାନା ବେଡ୍ ଉପରେ ପଡ଼ି ଆଖିରୁ ଲୁହ ଝରାଇ ଚାଲିଛନ୍ତି ବାପା । ଆଉ ବାପାର ଗୋଡ଼ ପାଖରେ ମା’ ବସି ନିଜ ଫଟା କପାଳକୁ ନିନ୍ଦବାରେରେ ଲାଗିଛି। ଏଭଳି ଦୁଃଖଦ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରୁ ।
ଦିନଥିଲା ଭଗବାନ ମହାରଣାଙ୍କର ଦୁଇ ପୁଅ ଓ ସ୍ତ୍ରୀ ରେବତୀ ମହାରଣାଙ୍କ ହସଖୁସିର ସଂସାର ଥିଲା। ଦୁଇ ପୁଅ ବଡ଼ ହେଲେ । ହେଲେ ଆଉ ବାପା ମା’ଙ୍କୁ ପଚାରିଲେ ନାହିଁ। ଫଳରେ ଭଗବାନ ଓ ତାଙ୍କ ସ୍ତ୍ରୀ ଅଲଗା ରହିଲେ। ଭଗବାନଙ୍କୁ ୮୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ୭୦ ପାର କଲାଣି। ଗତକାଲି କୌଣସି କଥାକୁ ନେଇ ବାପା ଓ ସାନ ପୁଅ ମଧ୍ୟରେ ବଚସା ହୋଇଥିଲା। ଆଉ ସାନ ପୁଅ ରାଗି ଯାଇ ଭଗବାନଙ୍କୁ ଟେକି କଚାଡ଼ି ଦେବା ସହ ଏକ ଠେଙ୍ଗାରେ ବାଡ଼େଇଲା। ପୁଅର ମାଡ଼ରେ ବାପା ଆହତ ହେବାପରେ ସ୍ଥାନୀୟ ଲୋକେ ଭଗବାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏନେଇ ରେବତୀ ସାନ ପୁଅ ନାଁରେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଏହା ସହ ରେବତୀ କହିଛନ୍ତି, ପୂର୍ବରୁ ମଧ୍ୟ ସାନପୁଅ ଅନେକ ଥର ତା’ ବାପାକୁ ପିଟିଛି। ସବୁବେଳେ ବିଷ ଦେଇ ମାରିଦେବାକୁ ମଧ୍ୟ କହୁଛି । ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ଥାନାବାଲା କିଛି କରୁ ନାହାନ୍ତି। ତେବେ ରେବତୀଙ୍କ ଏଭଳି ଅଭିଯୋଗ ପେର ନିଳଗିରି ପୋଲି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।