କୋଭିଡ୍ ଟିକାକୁ ଦାୟୀ କଲେ ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଅବକାରୀ କନଷ୍ଟେବଳ ନିଯୁକ୍ତି ଦୌଡରେ ଶାରୀରିକ ପରୀକ୍ଷା ଦେବା ବେଳେ ୧୨ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ମୃତ୍ୟୁ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପରିଚାଳିତ ‘ତ୍ରୁଟିପୂର୍ଣ୍ଣ କୋଭିଡ-୧୯’ ଟିକା ଦାୟୀ ବୋଲି କହିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୂଚନା ଅନୁସାରେ, ଅଗଷ୍ଟ ୨୨ରେ ଝାଡଖଣ୍ଡର ବିଭିନ୍ନ କେନ୍ଦ୍ରରେ ନିଯୁକ୍ତି ଦୌଡ ଆରମ୍ଭ ହୋଇଥିଲା ବେଳେ ରାଜ୍ୟ ଷ୍ଟାଫ୍ ସିଲେକ୍ସନ କମିଶନ (ଜେଏସଏସସି) ଦ୍ୱାରା ପରିଚାଳିତ ହେଉଥିଲା।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସୋରେନ ଅଭିଯୋଗ କରିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମୟରେ ଦିଆଯାଇଥିବା ଟିକା ଅପ୍ରତ୍ୟାଶିତ ମୃତ୍ୟୁର କାରଣ ପାଲଟିଛି। ସୋରେନ୍ କହିଛନ୍ତି, କରୋନା ମହାମାରୀ ସମୟରେ ଦିଆଯାଇଥିବା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟୁଛି। ନିଯୁକ୍ତି ଦୌଡ଼ରେ କିଛି ଯୁବକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ଏହି ମୃତ୍ୟୁ ଦୌଡ଼ିବା କାରଣରୁ ହେଉନାହିଁ। ଲୋକମାନେ ବୁଲୁଥିବା ବେଳେ ବି ହଠାତ୍ ମୃତ୍ୟୁବରଣ କରୁଛନ୍ତି। ସୋରେନ ଆହୁରି କୋଭିଡ୍-୧୯ ଟିକାକୁ ଏହି ହଠାତ୍ ମୃତ୍ୟୁର କାରଣ ବୋଲି କହିବା ସହ ଉଭୟ ଯୁବକ ଓ ବୟସ୍କଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦର୍ଶାଇଛନ୍ତି।

ଦେଶରେ ଲୋକମାନେ ଥଣ୍ଡା ଓ କାଶରେ ପ୍ରାଣ ହରାଉଛନ୍ତି ଏବଂ ଅନ୍ୟମାନେ ଦୌଡ଼ିବା କିମ୍ବା ଚାଲିବା ସମୟରେ ମୃତ୍ୟୁବରଣ କରୁଛନ୍ତି। କେବଳ ବୟସ୍କ ନୁହଁନ୍ତି, ଯୁବପିଢ଼ି ମଧ୍ୟ ପ୍ରାଣ ହରାଉଛନ୍ତି ବୋଲି ସେ ଦାବି କରିଛନ୍ତି। ଜେଏସଏସସି ଦ୍ୱାରା କନେଷ୍ଟବଳ ନିଯୁକ୍ତି ଅଭିଯାନ ଅବକାରୀ ବିଭାଗରେ ୫୮୩ ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଅଗଷ୍ଟ ୨୨ତାରିଖରୁ ଶାରୀରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୧୨ ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି ବୋଲି ବିଜେପି ଦାବି କରିଛି।

Leave A Reply

Your email address will not be published.