ବିଜେପି ଫୋକସରେ ଦକ୍ଷୀଣ ଭାରତ: ଚେନ୍ନାଇକୁ ମିଳିଲା ୧୩ ଶହ କୋଟିର ବିମାନବନ୍ଦର, ହାଇଦ୍ରାଦରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଣି ଏବେ ବିଜେପି ଫୋକସରେ ଦକ୍ଷୀଣ ଭାରତ । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷୀଣ ଭାରତ ଗସ୍ତକରି ଚେନ୍ନାଇ ଓ ହାଇଦ୍ରାବାଦକୁ ବଡ଼ ଭେଟି ଦେଇଛନ୍ତି । ଶନିବାର ଚେନ୍ନାଇ ଓ କୋଏମ୍ବାଟୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ମୋଦି । ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂଆ ଟର୍ମିନାଲର ଭବନର ଫେଜ୍- ୱାନର ମଧ୍ୟ ଉଦଘାଟନ କରିଛନ୍ତି । ଏହି ଟର୍ମିନାଲ ଭବନକୁ ୧୨ଶହ ୬୦ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ କରାଯାଇଛି । ନୂଆ ଟର୍ମିନାଲ ସ୍ଥାନୀୟ ତାମିଲ ସଂସ୍କୃତିକୁ ପ୍ରାଧାନ୍ୟ ଦେଇଛି, ଯେଉଁଥିରେ କୋଲମ, ଶାଢ଼ି, ମନ୍ଦିର ଓ ଅନ୍ୟାନ୍ୟ ପ୍ରାକୃତିକ ପରିବେଶ ସାମିଲ ଅଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ବିଶାଳ ରୋଡ୍ ଶୋ’ କରିଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ସ୍ଥାନୀୟ ଲୋକେ ଓ ହଜାର ହଜାର ବିଜେପି କର୍ମୀ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଦ୍ବିତୀୟ ପର୍ଯ୍ୟାୟରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳର ଶୁଭାରମ୍ଭ କରିଥିଲେ। ନବିବିନଗରରେ ‘ଏମ୍ସ୍’ ସମେତ ତେଲେଙ୍ଗାନାରେ ୧୧,୩୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତର ଏହି ରାଜ୍ୟ ଗସ୍ତ କରିଛନ୍ତି। ଆଜି ତେଲେଙ୍ଗାନାରେ ପହଞ୍ଚିବା ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ରାଜ୍ୟପାଳ ତମିଲିସୈ ସୌନ୍ଦରରାଜନ୍ ପାଛୋଟି ନେଇଥିଲେ। ହାଇଦ୍ରାବାଦର ‘ଆଇଟି ନଗରୀ’କୁ ତିରୁପତିର ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିର ସହିତ ସଂଯୋଗ କରୁଥିବା ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ହେଉଛି ରାଜ୍ୟରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ଏହାଦ୍ବାରା ଦୁଇ ନଗରୀ ମଧ୍ୟରେ ଯାତ୍ରା ସମୟ ପ୍ରାୟ ସାଢ଼େ ୩ ଘଣ୍ଟା କମିଯାଉଥିବାରୁ ତୀର୍ଥଯାତ୍ରୀମାନେ ମଧ୍ୟ ଉପକୃତ ହେବେ। ଏହା ମଧ୍ୟ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଜୋନ୍ର ଦ୍ବିତୀୟ ‘ସେମି-ହାଇସ୍ପିଡ୍ ଟ୍ରେନ୍’। ମଙ୍ଗଳବାର ଛଡ଼ା ଏହି ଟ୍ରେନ୍ ଅନ୍ୟ ସବୁ ଦିନ ଚଳାଚଳ କରିବ। ସକାଳ ୬ଟାରୁ ଯାତ୍ରା ଆରମ୍ଭ କରି ଏହି ଟ୍ରେନ୍ ୬୬୨ କିଲୋମିଟର୍ ଅତିକ୍ରମ କରି ଅପରାହ୍ଣ ୨.୩୦ରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଯିବା ରାସ୍ତାରେ ଏହି ଟ୍ରେନ୍ ନାଲଗୋନ୍ଦା, ଗୁଣ୍ଟୁର୍, ଓଙ୍ଗୋଲ୍ ଏବଂ ନେଲୋର ଆଦି ୪ଟି ସ୍ଥାନରେ ଅଟକିବ।