ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ ଓ ୭୫ ଟଙ୍କିଆ କଏନର ଲଞ୍ଚ କରିଛନ୍ତି। ନୂଆ ସଂସଦ ଭବନର ଲୋକସଭା ଚ୍ୟାମ୍ବରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସେ ଆଜି ଏହାକୁ ଲୋକାର୍ପଣ କରିଛନ୍ତି। ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିଲା ଓ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ରହିଥିଲେ। ଗ୍ୟାଜେଟ ନୋଟିଫିକେନ ଅନୁଯାୟୀ, ଆଜି ଲଞ୍ଚ ହୋଇଥିବା ୭୫ ଟଙ୍କିଆ ମୁଦ୍ରାର ଓଜନ ୩୪.୬୫ରୁ ୩୫.୩୫ ଗ୍ରାମ।
ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ସାରିଛି। ଏହାକୁ ମନେ ରଖିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭୫ ଟଙ୍କିଆ କଏନ ଜାରି କରାଯାଇଛି। କଏନରେ ସଂସଦର ନୂଆ ବିଲଡିଂର ଛବି ରହିଛି। ଦେବନଗରୀ ଲିପିରେ କଏନର ଉପର ପାର୍ଶ୍ୱରେ ସଂସଦ ସଙ୍କୁଳ ଓ ନିମ୍ନ ପାର୍ଶ୍ୱରେ ଇଂରାଜୀରେ ସଂସଦ କମ୍ପ୍ଲେକ୍ସ ଉଲ୍ଲେଖ କରାଯାଇଛି। ଅଶୋକ ସ୍ତମ୍ଭ ତଳେ ଟଙ୍କାର ଚିହ୍ନ ଓ ଇଂରାଜୀରେ ୭୫ ଲେଖା ହୋଇଛି। ୩୫ ଗ୍ରାମ ଓଜନର ଏହି କଏନକୁ ୪ଟି ଧାତୁକୁ ମିଶାଇ ତିଆରି କରାଯାଇଛି। ଏଥିରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଓ ୫% ଜିଙ୍କ ରହିଛି।