ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ସମ୍ପତ୍ତି ହେଉନାହିଁ ପୁନରୁଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ସମ୍ପତ୍ତିର ପୁନରୁଦ୍ଧାର ନେଇ ବାରମ୍ବାର ଦାବି ସତ୍ତ୍ୱେ ଏହା ହେଉନାହିଁ। ଯାହା ଫଳରେ ହଜାର ହଜାର ଏକର ଦେବତ୍ୱର ସମ୍ପତି ବର୍ତ୍ତମାନ ସମୟରେ ଜବରଦଖଲକାରୀଙ୍କ କବଜାରେ ରହିଛି। ଦେବତ୍ୱର ସମ୍ପତି ପୁନରୁଦ୍ଧାର ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବାକୁ ସେବାୟତ ମାନେ ପୁଣି ପଦଯାତ୍ରାରେ ଯାଇଛନ୍ତି। ପୂର୍ବରୁ ପଦଯାତ୍ରା ସ୍ଥଗିତ ହୋଇଥିବା ବୁଢ଼ୀଖମାରି ଠାରୁ ପଦଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ମନ୍ଦିରର ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର କରିବା ସହ ପ୍ରତିବାଦ ହେଲେ ମଧ୍ୟ କେବଳ ବୈଠକ ଆଲୋଚନା ହୋଇଛି, କିନ୍ତୁ କୋଣସି ସମାଧାନ ହୋଇନାହିଁ। ଦାବି ଅନୁଯାୟୀ, ବାରିପଦା ଦେବୋତ୍ତର ବିଭାଗ ଅଧିନରେ ୨୦ଟି ମଠ ଓ ମନ୍ଦିର ପରିଚାଳିତ ହେଉଛି।

ଏଥି ନିମନ୍ତେ ୪୪ ହଜାର ୭୦୦ ଏକର ଜମି ଖଞ୍ଜା ଥିବା ସ୍ଥଳେ ପାଖାପାଖି ୪୦,୦୦୦ ଜମି ବିଭିନ୍ନ ସରକାରୀ ସଂସ୍ଥା ଓ ଲୋକଙ୍କ ଜବରଦଖଲରେ ରହିଛି। ଯାହା ଫଳରେ ଉକ୍ତ ଜମିରୁ କୋଣସି ରାଜସ୍ଵ ଆୟ ହୋଇପାରୁନାହିଁ। ତେଣୁ ଉକ୍ତ ଜମିରୁ ମଠ, ମନ୍ଦିର ପରିଚାଳନା ନେଇ ସୁବ୍ୟବସ୍ଥା କରିବାକୁ କୁହାଯାଇଛି। ଠାକୁରଙ୍କ ବେଶ ନିମନ୍ତେ ଗହଣା ଗୁଡ଼ିକ ବର୍ତ୍ତମାନ ଭାଙ୍ଗି ଜରାଜୀର୍ଣ ଅବସ୍ଥାରେ ରହିଛି। ପୂର୍ବରୁ ଠାକୁରଙ୍କ ସୁନା ମୁକୁଟ, ଗୋଡ଼, ହାତ ଚୋରି ହୋଇଥିବାରୁ ମହାପ୍ରଭୁଙ୍କ ବେଶ ହୋଇ ପାରୁନାହିଁ। ତେଣୁ ନୂତନ ଅଳଙ୍କାର ନିର୍ମାଣ ବ୍ୟବସ୍ଥା କରିବା। ବାରିପଦା ଜଗନ୍ନାଥଙ୍କ ମନ୍ଦିରରେ ଠାକୁରଙ୍କ ଦୌନଦିନ ନୀତି ପାଇଁ ଛତିଶା ନିଯୋଗ ସେବାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ସମୟରେ ସଠିକ ପାଉଣା ପତ୍ର ନମିଳିବାରୁ ଅନେକ ସେବାୟତ ପଦ ଫାଙ୍କା ପଡିଛି। ତୁରନ୍ତ ଉକ୍ତ ସେବାୟତ ନିଯୁକ୍ତିର ବ୍ୟବସ୍ଥା କରିବା। ରାଜ୍ୟର ଅନ୍ୟାନ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ପରି ଏହିମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ ଅନୁରୋଧ କରାଯାଇଛି। ମନ୍ଦିର ଚାରିପାଖର ଜମି ଅଧିଗ୍ରହଣ କରି କରିଡ଼ର ବ୍ୟବସ୍ଥା କରିବା, ମନ୍ଦିର ସୁରକ୍ଷା ପାଇଁ ପୁଲିସ ନିୟୋଜିତ, ମନ୍ଦିର ପରିସରକୁ ପରିଷ୍କାର ସହ ଗଛ ଓ ଆଲୋକର ରକ୍ଷଣାବେକ୍ଷଣ ବ୍ୟବସ୍ଥା, ଭକ୍ତଙ୍କ ଗାଡ଼ି ପାକିଂ ଓ ଶୌଚାଳୟ ବ୍ୟବସ୍ଥା, ନାଗରା ଭାଡ଼ିର ପୁନଃଉଦ୍ଧାର, ଦ୍ଵିତୀୟ ଶ୍ରୀକ୍ଷେତ୍ରର ପ୍ରସାର ପ୍ରଚାର, ହେମସାଗର ପୋଖରୀର ସଠିକ ସୌନ୍ଦର୍ଯ୍ୟକରଣ, ମନ୍ଦିର ଆୟ ବୃଦ୍ଧି ପାଇଁ ଫାଙ୍କା ଥିବା ଦେବୋତ୍ତର ଜମିରେ କଲ୍ୟାଣ ମଣ୍ଡପ ଓ ମାର୍କେଟ କମ୍ପ୍ଲେକ୍ସ, ମଧୁବନ୍ ଠାରେ ଠାକୁରଙ୍କ ବଗିଚା ପୂଜା ପାଇଁ ସ୍ବତନ୍ତ୍ର ସୌନ୍ଦର୍ଯ୍ୟକରଣ ସହ ଦୈନିକ ନିତି ପାଇଁ ଫୁଲ ଓ ତୁଳସୀ ବଗିଚା ନିର୍ମାଣ, ଭୋଗଦୋକାନ ବ୍ୟବସ୍ଥା କରିବା।

ଠାକୁରଙ୍କ ଦୈନଦିନ ଓ ପର୍ବାଣୀ ପାଇଁ ସାମଗ୍ରୀ ଯୋଗାଣର ଡ଼ଉଲ୍ ଖାତା ସଂଶୋଧନ କରିବା। ମନ୍ଦିର ପାଇଁ ଦେବତ୍ତୋର ବିଭାଗ ପାଇଁ ସ୍ବତନ୍ତ୍ର ଅଫିସର ନିଯୁକ୍ତି କରିବା। ସେବାୟତଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ବାରିପଦା ସହରରେ ସେବାୟତଙ୍କୁ ଦୋକାନ ଗୃହ ପ୍ରଦାନ କରିବା। ବର୍ତ୍ତମାନ ସମୟରେ ସେବାୟତଙ୍କୁ ଦୈନିକ ମଜୁରୀ ୪୦୦ ଟଙ୍କା ପ୍ରଦାନ ହେଉଛି। ଯାହା ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଠାରୁ କମ ଅଟେ। ତେଣୁକରି ସେବାୟତଙ୍କ ଭତ୍ତା ବୃଦ୍ଧି କରି ସର୍ବନିମ୍ନ ୫୦୦ରୁ ୧୦୦୦ ଟଙ୍କାର ବ୍ୟବସ୍ଥା କରିବା। ବାରିପଦା ଦେବୋତ୍ତର ବିଭାଗ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ୨୦୦ କୋଟି ଟଙ୍କାର ଏକ କୋର୍ପସ ଫଣ୍ଡ ବ୍ୟବସ୍ଥା କରିବା ଆଦି ଦାବିରେ ପଦଯାତ୍ରା କରିଛନ୍ତି। ଏନେଇ ସେବାୟତ ମାନେ ପୂର୍ବରୁ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେଣୁକରି ସେବାୟତଙ୍କ ପକ୍ଷରୁ ଦାବୀ ଜଣାଇବାକୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା କରିଛନ୍ତି ବୋଲି ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି।

Comments are closed.