କରଞ୍ଜିଆର ବିଭିନ୍ନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ଜନ୍ମାଷ୍ଟମୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ।

ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ। ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି। ଏହି ଅବସରରେ କରଞ୍ଜିଆର ବିଭିନ୍ନ ମନ୍ଦିରରେ ଥିବା ରାଧାକୃଷ୍ଣ ମନ୍ଦିରରେ ଆଜି ବଢ଼ି ଭୋର ରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ପୁର୍ଣେଶ୍ୱର ମନ୍ଦିର, ଗୌରାଙ୍ଗ ମନ୍ଦିର, ନୂଆସାହି ରାଧାକୃଷ୍ଣ ମନ୍ଦିର,ମଙ୍ଗଳା ମନ୍ଦିର ପ୍ରଭୃତି ମନ୍ଦିରର ବେଶ୍ ଲୋକାରଣ୍ୟ ରହିଥିଲା। ଭକ୍ତ ମାନେ ଲାଇନରେ ଛିଡ଼ା ହୋଇ ପୂଜା କରିବା ପାଇଁ ଅପେକ୍ଷାରତ ଥିଲେ। ଏହି ସମୟରେ ମନ୍ଦିର ନିକଟରେ ଥିବା ବିଭିନ୍ନ ପୂଜା ସାମଗ୍ରୀ ଓ ଫଳ ଦୋକାନ ଗୁଡ଼ିକରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ଜନ୍ମାଷ୍ଟମୀ ଅବସରରେ କରଞ୍ଜିଆରେ ମେଘୁଆ ପାଗ ଥିବା ଏବଂ ବର୍ଷା ହୋଇନଥିବାରୁ ଭକ୍ତ ମାନେ ବହୁଳ ସଂଖ୍ୟାରେ ଆସି ପୂଜା କରୁଥିବା ଦେଖିବାକୁ ମିଳିଛି।

Comments are closed.