ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଦର ବେଲଗାମ୍‌

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଦର ବେଲଗାମ୍‌ ହୋଇପଡ଼ିଛି। ଅବଢ଼ାର ଆକାଶଛୁଆଁ ଦରକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୩ ଶହ ଟଙ୍କାର ଅବଢ଼ାରେ ଜଣଙ୍କ ପେଟ ପୂରୁନାହିଁ। ପ୍ରସାଦ ବିକ୍ରି ନାଁରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି।

ମାତ୍ର ୨ ଶହ ମିଟର ଦୂରରେ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦରର ୩ଗୁଣା ଅଧିକରେ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି ହେଉଛି। ଅବଢ଼ା ବିକ୍ରେତାଙ୍କ ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ସେମାନେ ଏଭଳି ମନମାନି କରୁଥିବା ଅଭିଯୋଗ ହୋଇଛି। ଶ୍ରଦ୍ଧାଳୁମାନଙ୍କ ଅଭିଯୋଗ ଅନୁସାରେ ଏବେ ଆନନ୍ଦ ବଜାରରେ ଶୃଙ୍ଖଳା ମୋଟେ ନାହିଁ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସାରି ଭକ୍ତ ତଥା ଶ୍ରଦ୍ଧାଳୁ ବଡ଼ ଆଗ୍ରହରେ ଅବଢ଼ା କିଣିବାକୁ ମନ ବଳାଉଛି। କିନ୍ତୁ ଦର ଶୁଣିବା ପରେ ଆପେଆପେ ତଣ୍ଟି ଶୁଖିଯାଉଛି। ଜଣଙ୍କ ପାଇଁ କିଣିଲେ, ୩ ଶହ ଟଙ୍କାରୁ କମ ହେଉନାହିଁ। ପୁଣି ଯେତିକି ପରିମାଣର ପ୍ରସାଦ ମିଳୁଛି, ସେଥିରେ ପେଟ ପୂରିବା ନାଁ ଧରୁନାହିଁ।

ଗୋଟିଏ ଯୋଡ଼ିଏ ମୁଠା ଅନ୍ନ ପ୍ରସାଦରେ ତରକାରୀ ଶେଷ। ବରଂ ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ଜଣେ ଅଧିକ ଖାଇବା ଲୋକ ଶହେ ଟଙ୍କାର ପ୍ରସାଦ କିଣିଲେ, ସବୁତକ ଖାଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଗତକାଲି ଥିଲା ସୋମବାର। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଏହି ମଉକାରେ ଅବଢ଼ା ବିକ୍ରେତାଙ୍କ ମନମାନି ସବୁ ସୀମା ଟପିଯାଇଥିଲା। ପାଟିକୁ ଯାହା ଆସିଲା, ସେହି ଦର କଷିଲେ। ସେପଟେ ଅପରାହ୍ଣ ୨ଟା ସୁଦ୍ଧା ଅନନ୍ତ ବାସୁଦେବଙ୍କ ମନ୍ଦିରରେ ହଠାତ୍ ପ୍ରସାଦ ସରିଗଲା। ତେଣୁ ସବୁ ଲୋକଙ୍କ ଭିଡ଼ ଲିଙ୍ଗରାଜ ମନ୍ଦିରରେ ହେଲା। ଏଠାରେ ଅବଢ଼ା ବିକ୍ରେତାଙ୍କ ସଂଖ୍ୟା କମ ହେତୁ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବଢ଼ିଗଲା। ଜଣେ ଜଣେ ବିକ୍ରେତାଙ୍କ ନିକଟରେ ୨୫ରୁ ୩୦ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଲା। ହଠାତ୍ ଗ୍ରାହକଙ୍କ ଭିଡ଼ ଦେଖି ବିକ୍ରେତାମାନେ ମନଇଛା ଦର ବଢ଼ାଇଦେଲେ। ବେସର, ମହୁର, ଶାଗର ଛୋଟ କୁଡ଼ୁଆ ଦାମ୍‌ ୨ ଶହରୁ ୩ ଶହ ଟଙ୍କା ହୋଇଗଲା। ଏକ ତିନି ଜଣିଆ ପରିବାର ହଜାରେ ଟଙ୍କା ଗଣିବାକୁ ବାଧ୍ୟ ହେଲେ।

ବଡ଼ କଥା ହେଉଛି, ଏଠାରେ ପ୍ରସାଦ ବାହାରି ବିକ୍ରି ହେବା ପାଇଁ ଆସିବା ବେଳକୁ ୩ଟା ବାଜି ସାରିଥିଲା। ତେଣୁ ପିଲାଛୁଆ ଓ ବୟସ୍କମାନେ ଭୋକରେ ଆଉଟୁପାଉଟୁ ହୋଇପଡ଼ିଥିଲେ। ଏଭଳି ସ୍ଥିତିରେ ମନ୍ଦିର ବାହାରକୁ ଆସି ଅନ୍ୟ କେଉଁଠି ଖାଇବା ପାଇଁ ପ୍ରାୟ ସମସ୍ତେ ଧୈର୍ଯ୍ୟ ହରାଇ ସାରିଥିଲେ। ତେଣୁ ମନ ନଥିଲେ ବି ଦର ଯାହା ହେଉ ପଛେ, ମନ୍ଦିରରୁ ପ୍ରସାଦ କିଣିବାକୁ ବହୁ ଲୋକ ବାଧ୍ୟ ହେଲେ।

 

Leave A Reply

Your email address will not be published.