ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାଙ୍କ ପ୍ରୟାସରେ ଆଜି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ମେଳି ହୋେଇଥିଲେ ବିରୋଧୀ। ଷ୍ଟାଲିନଙ୍କ ଦ୍ୱାରା ଆୟୋଜିତ ‘ସାମାଜିକ ନ୍ୟାୟ’ ଶୀର୍ଷକ ଦ୍ୱିତୀୟ ବୈଠକରେ ଯୋଗ ଦେଇଥିବା ଅଧିକାଂଶ ବିରୋଧୀ ନେତା ଜାତିଗତ ଜନଗଣନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଡିଏମକେ ଏହି ବୈଠକରେ କୌଣସି ପ୍ରକାରର ରାଜନୈତିକ ଦୃଷ୍ଟିକୋଣକୁ ଅସ୍ୱୀକାର କରି କହିଛି ଯେ ସେମାନେ ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ଡେରେକ୍ ଓ’ବ୍ରାଏନ୍ କହିଛନ୍ତି ଯେ, ଏହା ଏକ ରାଜନୈତିକ ମଞ୍ଚ ବୋଲି ଆମେ ପଛଘୁଞ୍ଚା ଦେବା ଉଚିତ ନୁହେଁ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଏଭଳି ମଞ୍ଚରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଦୁଇ ତିନିଟି ଦଳ ବିଜେପି ସହ ଲଢ଼ିବାକୁ ଚାହୁଁ ନାହାନ୍ତି। ତେବେ, ଏହାକୁ ନେଇ ପରିସ୍ଥିତିକୁ ଗୁରୁତ୍ବ ନ ଦେବାର ସମୟ ଏବେ ନୁହେଁ। ଏବେ ସମୟ ସିଧାସଳଖ କଳା କିମ୍ବା ଧଳା ହେବାର। ଆମର ଗୋଟିଏ କାମ ଅଛି… ମୁଁ ବିଜେଡିକୁ ନିବେଦନ କରୁଛି ଯେ ସେମାନେ ଆଗକୁ ଆସନ୍ତୁ। ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ମଧ୍ୟ ଏହି ମଞ୍ଚରେ ରହୁ ବୋଲି ଟିଏମ୍ସିର ଡେରେକ୍ ଓ’ବ୍ରାଏନ୍ କହିଛନ୍ତି। ଆଜି ଅନୁଷ୍ଠିତ ହୋଇଥିବା ସାମାଜିକ ନ୍ୟାୟ ସଂକ୍ରାନ୍ତ ଦ୍ଵିତୀୟ ଜାତୀୟ ସମ୍ମିଳନୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ଅଖିଳେଶ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତୃଣମୂଳ କଂଗ୍ରେସର ଡେରେକ୍ ଓ’ବ୍ରାଏନ୍, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି ରାଜା ଯୋଗ ଦେଇଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି, ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି, ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଏହା ହେଉଛି ପ୍ରଥମ ପ୍ରୟାସ, ଯାହା ବିରୋଧୀଙ୍କୁ ଏକାଠି କରିଥିବା ଦେଖିବାକୁ ମିଳିଛି। ନିକଟରେ ଡିଏମକେ ଏକ ରାଲି ମଧ୍ୟ ଆୟୋଜନ କରିଥିଲା ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ୭୦ ତମ ଜନ୍ମଦିନରେ ଅନେକ ବିରୋଧୀ ନେତା ଏକାଠି ହୋଇଥିଲେ।

କହିରଖେ କି, ପୂର୍ବରୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରିଛନ୍ତି। ରାହୁଲ ବିରୋଧୀ ଦଳମାନଙ୍କୁ ଜଳଖିଆ ପାଇଁ ନିମନ୍ତ୍ରଣ କରି ୧୪ ଜଣ ବିରୋଧୀ ଦଳର ନେତା ତାଙ୍କ ‘ଜଳଖିଆ ରାଜନୀତି’ରେ ଯୋଗ ଦେଇଦେଇଥିଲେ। ଦିଲ୍ଲୀର ସମ୍ବିଧାନ କ୍ଲବରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ଜଳଖିଆ ବୈଠକରେ କଂଗ୍ରେସ ସମେତ ୧୪ଟି ଦଳର ନେତା ଯୋଗ ଦେଇଥିଲେ। ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ସମାଜବାଦି ପାର୍ଟି, NCP, CPM, CPI, IUML, RSP, KCM, NC, JMM ଏବଂ DMK ନେତାମାନେ ଏକତ୍ରୀତ ହୋଇଥିଲେ। କିନ୍ତୁ ମାୟାବତୀଙ୍କ BSP ଓ ଅରବିନ୍ଦ କେଜ୍ରିୱାଲଙ୍କ AAP ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ। ରାହୁଲଙ୍କ ବୈଠକରେ AAP ଏବଂ BSP ନେତାମାନେ ଯୋଗ ଦେଇନଥିଲେ। ରାହୁଲ ଗାନ୍ଧୀଙ୍କ ‘ଜଳଖିଆ ବୈଠକ’ରେ ଉତ୍ତରରୁ ଦକ୍ଷିଣର ମିଶ୍ରଣ ଦେଖିବାକୁ ମିଳିଥିଲା। ଏହି ବୈଠକରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ନେତାମାନେ ଯୋଗ ଦେଇଥିଲେ ଏବଂ ସେହିଭଳି ଜଳଖିଆ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଜଳଖିଆ ମେନୁରେ ଛୋଲେ-ଭଟୁରେ, ଉପମା, ଇଡଲି, ସ୍ୟାଣ୍ଡୱିଚ୍, ୱଡା-ସାମ୍ବର ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ବୈଠକରେ ଖାଇବା ପିଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା।