ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାର ଡିସିପିଙ୍କ କାର୍ଯ୍ୟାଳୟରେ ଭୁବନେଶ୍ଵର-କଟକର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ (ଆଇପିଏସ), ଏବଂ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଅପରାହ୍ନରେ ଏକ ମୋବାଇଲ ମୋଟରସାଇକେଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟୀମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରୀ କିମ୍ବା ହଜିଯାଇଥିବା ସମୁଦାୟ ୧୦ଟି ମୋଟରସାଇକେଲ ଏବଂ ୭୯ଟି ଉଦ୍ଧାର କରାଯାଇଥିବା ମୋବାଇଲକୁ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଶ୍ରୀଯୁକ୍ତ ପ୍ରତୀକ ସିଂହ ଏହି ମେଳାରେ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ମୋବାଇଲ ଏବଂ ମୋଟରସାଇକେଲ ଗୁଡିକର ପ୍ରକୃତ ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଯୋଗାଯୋଗ କରାଯିବା ସହ ଆଜି ଏକ ମେଳା ଅନୁଷ୍ଠିତ କରାଯାଇ ସେଗୁଡିକୁ ହସ୍ତାନ୍ତର କରାଯାଇଥିଲା ।ଚଳିତ ବର୍ଷ ଏଯାବତ ୪୦୭ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ସ୍ଥଳେ ଏହି ଚୋରୀରେ ସମ୍ପୃକ୍ତ ଥିବା ୧୫୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସମୁଦାୟ ୩୫୮ଟି ମୋବାଇଲ ଫୋନ ଗୁଡିକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇପାରିଛି । ସେହିପରି ଚଳିତ ବର୍ଷ ଏଯାବତ ୧୨୩ଟି ମୋଟରସାଇକେଲ ଉଦ୍ଧାର କରାଯାଇଥିବା ସ୍ଥଳେ ଏହି ମାମଲାରେ ସମ୍ପୃକ୍ତ ଥିବା ୧୨୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସମୁଦାୟ ୬୦ଟି ମୋଟରସାଇକେଲକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇପାରିଛି ।