ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଝାରସୁଗୁଡାରେ ଉପନିର୍ବାଚନରେ ବାଜି ମାରିଛି ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିବାବେଳେ କଂଗ୍ରେସର ଭୋଟପରିମାଣକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ପରାଜୟବରଣ କଲୁ । ଝାରସୁଗୁଡ଼ାରେ ଯେପରି ଅର୍ଥ ଖର୍ଚ୍ଚ ହେଉଥିଲା ସେଠାରେ ଜିତିବା ସମ୍ଭବ ନଥିଲା ।
ନବ ବାବୁ ବିଜେଡି ଗଲା ପରେ କଂଗ୍ରେସ କର୍ମୀ ବିଜେଡିକୁ ପଳାଇଗଲେ । ଏହି ଉପନିର୍ବାଚନରେ ଆମ ଭୋଟ ବିଜେଡିକୁ ପଳାଇଛି । ସେହିପରି କଂଗ୍ରେସର କୌଣସି ବିଧାୟକ ପ୍ରଚାର ମଇଦାନକୁ ନଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଟଙ୍କାନଥିଲେ ୯ବିଧାୟକ ଯାଇ କ’ଣ କରିଥାନ୍ତେ । ୪୦ ହଜାର ଭୋଟ କଂଗ୍ରେସ ପାଇବା ନେଇ ଆଶାକରଯାଉଥିବାବେଳେ ୪ ହଜାର ଭୋଟ ପାଇବା ଆମ ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି ।
ପ୍ରକାଶଯେ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଦଳର ନେତୃତ୍ୱ ଯେଉଁ ବାହୋସ୍ପଟ ମାରୁଥିଲେ ତାହା ଚକମା ଚୁର ହୋଇଯାଇଛି ।
ଝାରସୁଗୁଡ଼ାରେ କଂଗ୍ରେସର ଅମାନତ ରହିଲା ନାହିଁ । ଦଳ ଜିତିବ କ’ଣ ପୂର୍ବରୁ ଯେଉଁ ସଂଖ୍ୟାରେ ଭୋଟ ପାଇଥିଲା ତାହା ମଧ୍ୟ କମିଗଲା । ୨୦୧୯ ଅପେକ୍ଷା ଏଥର କଂଗ୍ରେସର ୧୪,୩୫୦ଟି ଭୋଟ କମିଛି । ୨୦୧୯ରେ କଂଗ୍ରେସର ମହେନ୍ଦ୍ର ନାଏକ ୧୮ ହଜାର ୮୨୩ଟି ଭୋଟ ପାଇଥିଲେ । ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଟି ଭୋଟ ମିଳିଛି । ଅନ୍ୟପକ୍ଷରେ ୨୦୧୯ ନିର୍ବାଚନ ଅପେକ୍ଷା ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ ବିଜେପି ଭୋଟ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଭୋଟ କମିଛି ।
୨୦୧୯ ଅପେକ୍ଷା ବିଜେଡିର ଭୋଟ ୮୩୮୩ ବଢିଛି । ୨୦୧୯ରେ ସ୍ୱର୍ଗତ ମନ୍ତ୍ରୀ ନବ ଦାସ ୯୮,୬୨୦ଟି ଭୋଟ ପାଇଥିଲେ । ଏବେ ତାଙ୍କ ଝିଅ ଦୀପାଳି ଦାସ ୧୦୦୭୦୦୩ଟି ଭୋଟ ପାଇଛନ୍ତି । ୨୦୧୯ ଅପେକ୍ଷା ଏଥର ବିଜେପି ଭୋଟ ବି ୫୪୬୩ଟି ବଢିଛି । ୨୦୧୯ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନ ୫୨ ହଜାର ୯୨୧ଟି ଭୋଟ ପାଇଥିଲେ । ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮୩୮୪ଟି ଭୋଟ ମିଳିଛି। ପ୍ରକାଶ ଯେ, ନିର୍ବାଚନ ପ୍ରଚାରବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଝାରସୁଗୁଡ଼ାରେ କ୍ୟାମ୍ପ କରି ପ୍ରଚାର କରିଥିଲେ । ଭୋଟ ପରେ ଦଳ ନିଶ୍ଚିତ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିକି ପ୍ରଚାର ବେଳେ କଂଗ୍ରେସ କର୍ମୀ ବହୁ କଷ୍ଟ କରିଛନ୍ତି, ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ତେଣୁ ଦଳ ଏଠାରେ ଜିତିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ।
ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ କଂଗ୍ରେସ ଜିତିବ ଏବଂ ବିଜେଡି ଓ ବିଜେପି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ଭୋଟ ଗଣତିର ଟ୍ରେଣ୍ଡ ସାମନାକୁ ଆସିବା ପରେ କଂଗ୍ରେସ ନେତାଙ୍କ ଦୃଢୋକ୍ତି ଏବେ ଫୁସ ହୋଇଯାଇଛି । ତଥାପି କଂଗ୍ରେସ କର୍ମୀ ଆଜି ଖୁସି ମନାଉଛନ୍ତି । କାରଣ ଝାରସୁଗୁଡ଼ାରେ କଂଗ୍ରେସର ଶୋଚନୀୟ ଅବସ୍ଥା ହୋଇଥିଲେ ହେଁ କର୍ଣ୍ଣାଟକରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁବାକୁ ଯାଉଛି । ତେଣୁ କଂଗ୍ରେସ ଭବନରେ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି ।