ପଥରମାଫିଆଙ୍କ ବଢୁଛି ଦୌରାତ୍ମ୍ୟ: ମାଡ଼ମାରି ଆର୍‌ଆଇଙ୍କ ମୁଣ୍ଡ ଫଟାଇଦେଲେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିନକୁ ଦିନ ପଥର ମାଫିଆମାଫିଆଙ୍କ ବଢୁଛି ଦୌରାତ୍ମ୍ୟ। ମାଡ଼ମାରି ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କ ମୁଣ୍ଡ ଫଟାଇଦେଲେ ପଥର ମାଫିଆ। ବେଆଇନ୍‌ ଭାବେ ଚାଲିଥିବା ଖାଦାନ ଯାଞ୍ଚ କରିବାକୁ ଯାଇ ପଥର ମାଫିଆଙ୍କଠାରୁ ପ୍ରବଳ ମାଡ଼ ଖାଇଛନ୍ତି ଆର୍‌ଆଇ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି। ଖୁଣ୍ଟା ତହସିଲ ସୁବର୍ଣ୍ଣମଞ୍ଜରୀ ଗାଁ ପାଖରେ ପଥର ଖାଦାନ ଚାଲିଥିଲା। ସେଠାରେ ଖନନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ୧୪୪ ଧାରା ଜାରି ହୋଇଥିଲା। ଏହା ସତ୍ତ୍ୱେ କେତେକ ମାଫିଆ ବେଆଇନ୍‌ ଭାବେ ପଥର ଖନନ କରୁଥିଲେ। ବେଆଇନ୍‌ ପଥର ଖନନ ସମ୍ପର୍କରେ ଖବର ପାଇ ଆଜି ସକାଳେ ବଡ଼ପଥରା ରାଜସ୍ୱ ନୀରିକ୍ଷକ (ଆର୍‌ଆଇ) ଦୟାନିଧି ରାଉତ ସୁବର୍ଣ୍ଣପୁର ଗାଁରେ ପହଞ୍ଚିଥିଲେ।

ଖାଦାନରୁ ପଥର ଲୋଡ୍‌ ହୋଇ ଆସୁଥିବା ଗାଡ଼ି ଗୁଡ଼ିକୁ ଶ୍ରୀ ରାଉତ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ପଥର ମାଫିଆମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡୁକୁରା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଶ୍ରୀ ରାଉତ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛନ୍ତି। ପରେ ସେ ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.