ଶିକ୍ଷାନୁଷ୍ଠାନରେ ନିଶା ସେବନ କରି ଏକାଧିକ ଥର ଧରାପଡିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବେଆଇନ୍ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକା ଯିବା ସଂପର୍କରେ ୩ୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏହିଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସଂପର୍କିତ ଥିବା ଜାତୀୟ ଆଇନ୍‌ ର  କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି ।  ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବେଆଇନ୍ ନିଶା ଦ୍ରବ୍ୟ କାରବାର ଓ  ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଭାରତ ସରକାରଙ୍କ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହା ନିର୍ଦ୍ଦେଶିକା ଶ୍ରୀମତୀ ମୋନିକା କେ. ବାତ୍ରାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରେଲୱେ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର, ରାଜ୍ୟ ପୁଲିସ୍ ପ୍ରଶାସନ, ଗୃହ ବିଭାଗ , ଅବକାରୀ ବିଭାଗ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୀମା ସୁରକ୍ଷାବଳ, ନାର୍କୋଡିକ୍ସ କଣ୍ଟୋଲ ବ୍ୟୁରୋର ଜେନେରାଲ ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।  ବୈଠକରେ ଭାରତ ସରକାରଙ୍କ ନାର୍କୋଟିକ୍ସ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ବିଭିନ୍ନ ରାଜ୍ୟରେ ନିଶା ଦ୍ରବ୍ୟ କାରବାରର  ସ୍ଥିତି  ସଂପର୍କରେ ତଥ୍ୟ ଉପସ୍ଥାପନ କରି ‘ଜୀବନକୁ ହଁ ଓ ନିଶାକୁ ନାଁ’  ଏବଂ ‘ନିଶା ମୁକ୍ତ ଭାରତ’ର ଆହ୍ୱାନ ଦେଇଥିଲେ ।  ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟ ସ୍ୱତନ୍ତ୍ର ଟାକ୍ସ୍‌ ଫୋର୍ସ ଅଧିକାରୀ ଜେନେରାଲ  ପଙ୍କଜ ଓଡ଼ିଶାରେ  ନିଶାଦ୍ରବ୍ୟ  କାରବାର ସଂପର୍କରେ ସୂଚନା ଦେଇ  କହିଥିଲେ ଯେ, ପୂର୍ବରୁ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ  କରାଯାଉଥିଲା । ସେଥିରୁ ଅଧିକାଂଶ ପାହାଡିଆ,ଜଙ୍ଗଲପୂର୍ଣ୍ଣ ଓ ନକ୍ସଲ ପ୍ରଭାବିତ ଅଂଚଳ  । ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ  ଅଂଚଳ କମୁଯିବା ଫଳରେ ଅଣ ନକ୍ସଲ ପ୍ରଭାବିତ ଅଂଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ ।

ବ୍ରାଉନ୍‌ ସୁଗାର (ହେରୋଇନ୍‌) ମୁଖ୍ୟତଃ  ପଶ୍ଚିମ ବଙ୍ଗ(ମୁର୍ଶିଦାବାଦ, ନଦିଆ, ବର୍ଦ୍ଦମାନ ଜିଲ୍ଲା)ରୁ କୋଲକତା ଓ ବାଲେଶ୍ୱର ଦେଇ ଉପକୂଳ ଜିଲ୍ଲାକୁ ଆସିଥାଏ । ନିଶାଯୁକ୍ତ କଫ୍ ସିରପ ମୁଖ୍ୟତଃ ଛତିଶଗଡ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ବଲପୁର ଓ  ବରଗଡ  ଆଦି ଜିଲ୍ଲାକୁ ଆସିଥାଏ । ବେଆଇନ୍ ଗଞ୍ଜେଇ ଓ ଅଫିମ ଚାଷ ପାଇଁ ପ୍ରତି ବର୍ଷ ଚା​ଷ‌ ସମୟରେ ବିଭିନ୍ନ ସଂସ୍ଥା ସାହାଯ୍ୟରେ ଅନୁସନ୍ଧାନ କରାଯାଇ ସେସବୁକୁ ନଷ୍ଟ କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପରିସଂଖ୍ୟାନକୁ ଦେଖିଲେ ଜଣାପଡେ ଯେ, ରାଜ୍ୟରେ  ୨୦୧୮-୧୯ ମସିହାରେ ୧୧,୬୨୭ ଏକର ଗଂଜେଇ ଚାଷ  ନଷ୍ଟ କରାଯାଇଥିବା ବେଳେ  ୨୦୨୨-୨୩ ରେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ  ନଷ୍ଟ କରାଯାଇଛି ।

ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଂଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କରାଯାଇଛି ।  ୨୦୧୮ ମସିହାରେ ୬୦୧  ମାମଲା ପଂଜୀକୃତ ଏବଂ ୫୨୩  କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବଦ କରାଯାଇ ୭୭୪  ଜଣ ଗିରଫ ହୋଇଥିବା ବେଳେ  ୨୦୨୩ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଂଜୀକୃତ କରାଯାଇ ୮୭୯ କ୍ୱିଣ୍ଟାଲ  ନିଶାଦ୍ରବ୍ୟ ଜବତ  ଓ ୧୪୦୫ ଜଣଙ୍କୁ ଗିରଫ କରାଯାଇଅଛି । ବ୍ରାଉନ୍ ସୁଗାର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି ।

       ଅନ୍ୟ ପକ୍ଷରେ ନିଶାଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ଆଇନ ଅନୁପାଳନକାରୀ ସଂସ୍ଥାମାନଙ୍କ ସହିତ  ନିୟମିତ ଯୋଗାଯୋଗ କରାଯାଇ ଚଢ଼ଉ ଉପରେ ଗୁରୁତ୍ୱ ଦିଆଯାଉଛି ।  କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି । ରାଜ୍ୟରେ ଜିଲ୍ଲାସ୍ତରରେ  ସମନ୍ୱୟ ବୈଠକ, ନିଶା ନିବାରଣ ଓ ଥଇଥାନ କେନ୍ଦ୍ର,  ଚଢ଼ଉରେ ସାମିଲ ହେଉଥିବା ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି, ବେଆଇନ୍‌ ଗଞ୍ଜେଇ ନିଶା ଔଷଧ  କାରବାର ରୋକିବା ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜନ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀ ଓ ବିଭିନ୍ନ  ସଂଗଠନମାନଙ୍କୁ ସାମିଲ କରାଯାଇ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ଜେନେରାଲ ଶ୍ରୀ ପଙ୍ଗଜ କହିଥିଲେ ।

       ବୈଠକରେ ଗଞ୍ଜେଇ ଚାଷ କରୁଥିବା ଅଂଚଳରେ ଚାଷୀମାନଙ୍କୁ ଜୀବିକା ନିର୍ବାହ ପାଇଁ ବଦଳ ଫସଲ କରିବା ସଂପର୍କରେ ଗୁରୁତ୍ୱ ଦିଆଯାଇଛି । ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ସଂପର୍କରେ ଗୃହ ବିଭାଗ, ଅବକାରୀ ବିଭାଗ, କୃଷି, ଜଙ୍ଗଲ ବିଭାଗ ଏ ସଂପର୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି  ।  ଏହି ଅବସରରେ  ମୁଖ୍ୟ ଶାସନ ସଚିବ ସ୍ୱାଭିମାନ ଅଂଚଳରେ ଲୋକମାନଙ୍କୁ  ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ବୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ପ୍ରକାଶ କରିଥିଲେ । ପଂଚାୟତିରାଜ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜନଜାତି  ଓ ଅନୁସୂଚିତ ଜାତି  ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।

ବୈଠକରେ ବିଭିନ୍ନ ଅଧିକାରୀମାନେ ନିଜ ନିଜର ମତ ରଖିଥିଲେ । ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ଏକାଧିକ ଥର ନିଶା ସେବନ କରି ଧରା ପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର  ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର  ନ କରିବା ସଂପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।  ଏହି ଆଇନ୍‌କୁ ଅନୁପାଳନ ପାଇଁ ରହୁଥିବା ବିଭିନ୍ନ ଆହ୍ୱାନ ଓ ମୁକାବିଲା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.