ଯାଜପୁର: ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ବ୍ୟାପରରୁ ହତ୍ୟା କରାଯାଇଥିବା ସନ୍ଦେହ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ରୀ ହେଲେ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସାଇ ସ୍ୱରୂପା ରାଉତ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ପ୍ରେମ ବ୍ୟାପରକୁ ନେଇ ଏହି ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି। ଏପଟେ ଝିଅକୁ ସେହି ଗ୍ରାମର ସାଗର ବିଶ୍ୱାଳ ନାମକ ଜଣେ ଯୁବକ ଗତ ୨ମାସ ହେବ ପିଛା କରୁଥିଲା।
ଅନେକ ସମୟରେ ହ୍ଵାଟ୍ସଆପ ରେ ମେସେଜ ଦେବା ସହ ହଇରାଣ ହରକତ କରୁଥିଲା। ଏନେଇ ପରିବାର ପକ୍ଷରୁ ତାଗିଦ କରାଯାଇଥିଲା। ତେବେ ଗତକାଲି ରାତିରେ ଝିଅ ଘରୁ କିଛି ସୁନା ଗହଣା ଓ ଟଙ୍କା ନେଇ ଚାଲିଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ସନ୍ଧାନ ପାଇନଥିଲେ। ତେବେ ଭୋର ସମୟରେ ପୋଲିସ ଝିଅ ସ୍କୁଲ ଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିବା ସହ ଝିଅକୁ ହତ୍ୟା କରାଯାଇଥିବା ବାପା ପଙ୍କଜ ରାଉତ ଅଭିଯୋଗ କରିଛନ୍ତି। ଏପଟେ ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।