ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସରିଛି ମାଟ୍ରିକ୍ ପରୀକ୍ଷା ଶେଷ ପରେ ଖାତା ଦେଖା । ତେବେ ଖାତା ଦେଖା ସରିବା ପରେ ବି ବାଲେଶ୍ୱରରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ । ମାଟ୍ରିକ୍ ପରୀକ୍ଷାର୍ଥୀ ଦେଇଥିବା ଜଣେ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା । ମାର୍ଚ୍ଚ ୨୦ ତାରିଖରେ ଛାତ୍ରୀ ଜଣଙ୍କ ସିମୁଳିଆ ବ୍ଲକ ଜାମୁଝଡ଼ି ସ୍ଥିତ ଦାମୋଦର ସରକାରୀ ହାଇସ୍କୁଲରେ ଗଣିତ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ପରେ ପରୀକ୍ଷା ନିରୀକ୍ଷକଙ୍କୁ ଉତ୍ତରଖାତା ଦେବା ପରିବର୍ତ୍ତେ ଛାତ୍ରୀ ଜଣଙ୍କ ନିଜ ସାଥିରେ ଘରକୁ ନେଇ ପଳାଇଥିଲେ । ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ସାଲେପୁର ସ୍ଥିତ କେନ୍ଦ୍ରରେ ଏହା ଜଣାପଡ଼ିଥିଲା । ପରୀକ୍ଷା ଦିନ ଛାତ୍ରୀ ଜଣଙ୍କ ଉପସ୍ଥିତ ରହିଥିବା ବେଳେ ଉତ୍ତରଖାତା ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼ । ଏହାପରେ ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ, ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଯାଞ୍ଚ କରାଯାଇ ଉତ୍ତରଖାତାକୁ ମୂଲ୍ୟାୟନ ଲାଗି ପଠାଯାଇଥିଲା । ଏ ଘଟଣା ପରେ ସିମୁଳିଆ ବିଇଓ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏନେଇ ଛାତ୍ରୀ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।
ସୂଚନାଯୋଗ୍ୟ, ମାଟ୍ରିକ ସମେଟିଭ୍-2, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି। ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୫ଟି କେନ୍ଦ୍ର କରାଯାଇଥିଲା। ଖାତାଦେଖାରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ। ଖାତାଦେଖା ସରିବା ପରେ ଏବେ ଟାବୁଲେସନ ଉପରେ ଧ୍ୟାନ ଦିଆଯିବ। ଭଲରେ ଖାତାଦେଖା ସରିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ଏଥି ସହିତ ଯେଉଁ ସେଟ୍ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖାଦେଇଥିଲା ସେହି ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ। ସେମାନଙ୍କର କିଛି ବି ସମସ୍ୟା ହେବନି । ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି କହିଛନ୍ତି। ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।