ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ପୁଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ । ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନର ସ୍ବାତ ନିକଟରେ ଥିବା ପୁଲିସ ଷ୍ଟେସନ ପାଖରେ ଆତଙ୍କବାଦୀମାନେ ସୋମବାର ରାତି ପ୍ରାୟ ୧୧ଟାରେ ଆତ୍ମଘାତି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ୮ ପୁଲିସ କର୍ମଚାରୀଙ୍କ ସମେତ ୧୦ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଏହି ପୁଲିସ ଷ୍ଟେଶନଟି ଆତଙ୍କବାଦୀ ବିରୋଧରେ କାର୍ଯ୍ୟ କରୁଥିଲା ବେଳେ କୋଠାଟି ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଛି । ହଠାତ୍ ଆତଙ୍କବାଦୀମାନଙ୍କ ଯୋଜନା ମୁତାବକ ଦୁଇଟି ଆତ୍ମଘାତି ବିସ୍ଫୋରଣ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଖାଇବର ପାଖତୁନଖ୍ବାର ପୁଲିସ ବିଭାଗର ଆଇଜି ଅଖତର ହାୟତ ଖାନ କହିଛନ୍ତି ଯେ, ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦ ବିରୋଧୀ ବିଭାଗ ମୁଖ୍ୟ ଖାଲିଦ ସୋହାଲି କହିଛନ୍ତି ଯେ, ଉକ୍ତ ବିସ୍ଫୋରଣରେ ପୁଲିସ ଷ୍ଟେସନ କୋଠାଟି ସମ୍ପୂର୍ଣ୍ଣ ଭୁଷୁଡି ଯାଇଛି । ଫଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଛି ।
ଆତଙ୍କବାଦୀମାନେ ଆଇନଶୃଙ୍ଖଳା ଅଧିକାରୀଙ୍କୁ ଟାର୍ଗେଟ କରି ଏଭଳି ହିଂସାକାଣ୍ଡ ଭିଆଉଛନ୍ତି । ଏହା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆତଙ୍କବାଦ ବିରୋଧ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ।